Unknown

 

 

 

 

 

 

 

 

 

ନାରୀର ଦାବୀ

ଶ୍ରୀମତୀ ସରଳା ଦେବୀ

 

ମାତୃଜାତିର ସ୍ୱାତନ୍ତ୍ର୍ୟ ନେଇ ଆଜି ଜଗତରେ ତୁମୂଳ ଆନ୍ଦୋଳନ ଚାଲିଛି । କି ପାଶ୍ଚାତ୍ୟ କି ପ୍ରାଚ୍ୟ ସବୁ ଦେଶରେ ଏକ ସ୍ୱରରେ ଦାବୀ ହେଉଛି, ସ୍ତ୍ରୀ ଜାତିକୁ ସ୍ୱାଧୀନତା ଦିଆଯାଉ । ପାଶ୍ଚାତ୍ୟ ଦେଶରେ ଏ ଆନ୍ଦୋଳନ ଅନେକ ଦୂର ଅଗ୍ରସର ହୋଇ ସାରିଲାଣି । ପ୍ରାଚ୍ୟ ଦେଶରେ ଏହାର ସୂତ୍ରପାତ ହେଉଛି କହିଲେ ଚଳେ । କିନ୍ତୁ ଏହି ଆନ୍ଦୋଳନ ଯେ ନିକଟ ଭବିଷ୍ୟତରେ ଯଶସ୍ୱୀ ହେବ, ଏଥିରେ ସନ୍ଦେହ ନାହିଁ ।

 

ଭାରତ ଦେଶ ପକ୍ଷରେ, ବିଶେଷତଃ ହିନ୍ଦୁ ଜାତି ପକ୍ଷରେ, ସ୍ତ୍ରୀଜାତିର ସ୍ୱାଧୀନତାର ଅର୍ଥ କଣ ତାହା ଆଜି ବହୁଳ ପରିମାଣରେ ଆଲୋଚିତ ହେଉଅଛି । କିଏ କେତେ ପ୍ରକାର କହୁଛି, ତାର ଇୟତ୍ତା ନାହିଁ । ହିନ୍ଦୁ ସମାଜରେ ସ୍ତ୍ରୀ ଓ ପୁରୁଷର ସ୍ଥାନ ନିରୂପଣ କରିବାରେ ବିଶେଷ ମତଭେଦ ରହିଛି ବୋଲି ଏହି ସ୍ୱାତନ୍ତ୍ର୍ୟ ନେଇ ଏତେ ଝଗଡ଼ା ।

 

କେତେକ କହନ୍ତି– ଆମର ପ୍ରାଚୀନ ହିନ୍ଦୁ ସମାଜରେ ସ୍ଥାନ ଯାହା ଥିଲା ତାହା ହିଁ ରହୁ, ସେ ସ୍ଥାନ କିଛି ହୀନ ନୁହେଁ । ଆଉ କେତେକ କହୁଛନ୍ତି– ପ୍ରାଚୀନ ହିନ୍ଦୁ ସମାଜରେ ମାତୃଜାତିର ସ୍ଥାନ ସେତେ ଉଚ୍ଚ ନୁହେଁ, ସେହି ସ୍ଥାନକୁ ଉଚ୍ଚ କରିବାକୁ ହେବ ଏବଂ ଜଗତର ଗତିର ପ୍ରଭାବ ସହିତ କିପରି ତାଳ ପକାଇ ଆମ୍ଭେମାନେ ନିଜକୁ ପରିଚାଳିତ କରିବୁଁ, ସେହି ଦୃଷ୍ଟିରେ ଏହି ସବୁ ଆଲୋଚନା କରିବାକୁ ହେବ ।

 

ଆମ ହିନ୍ଦୁ ସମାଜରେ କାହିଁକି, ପୃଥିବୀର ଯେ କୌଣସି ପ୍ରଦେଶରେ ମଧ୍ୟ ପ୍ରାଚୀନ କାଳରେ ନାରୀମାନେ ଉପଯୁକ୍ତ ସମ୍ମାନ ପାଉ ନ ଥିଲେ । ଏକଥା ନିରାଟ ସତ୍ୟ । ପୂର୍ବ ପୁରୁଷମାନଙ୍କ ବଡ଼ିମା ଗାଇବା ପାଇଁ ଆମେ ହୁଏ ତ କହିପାରୁଁ ଯେ ମାତୃଜାତି ସେ ସମୟରେ ବେଶି ଆଦର ପାଉଥିଲେ, ସମ୍ମାନ ପାଉଥିଲେ, କିନ୍ତୁ ପ୍ରକୃତରେ ଦେଖିବାକୁ ଗଲେ ଏପରି କହିବାର ଉଦ୍ଦେଶ୍ୟ ହେଉଛି, ଆମ ନିଜ ଆଖିରେ ଆମେ ନିଜେ ଧୂଳି ମାରିବା । ଯୁଗ ଯୁଗ ଧରି ମାତୃଜାତି ପାରମ୍ପରିକ ଭାବରେ ଏତେ ନିର୍ଯାତନା ସହି ଆସୁଥିଲା ବୋଲି ଆଜି ସେ ବେଦନା ଅସହ୍ୟ ହୋଇ ପଡ଼ିଥିବା ଯୋଗୁଁ ସମାଜରେ ଏ ବିଦ୍ରୋହ ବହ୍ନି ଜଳି ଉଠୁଛି । ମାତୃଜାତିକୁ ଅବମାନନା କରି ଦେଶର ଯେ ପତନ ହୋଇଛି, ହତାଦର କରି ଯେ ଦୁର୍ଦ୍ଦଶା ଘଟିଛି, ତାହା କହିବାର ନୁହେଁ । ଏକା ଆମରି ଦେଶ ନୁହେଁ, ଅନ୍ୟାନ୍ୟ ଦେଶର ଅବସ୍ଥା ମଧ୍ୟ ସେହିପରି । କେବଳ ଜାତିର ଅସଭ୍ୟାବସ୍ଥାରେ ଏ ସବୁ ସମ୍ଭବପର ହୋଇଥାଏ । ଇତିହାସ ଆଲୋଚନା କଲେ ଜଣା ପଡ଼ିବ, କେବଳ ଅସଭ୍ୟ ଅବସ୍ଥାରେ ଥିବା ସମୟରେ ମାତୃଜାତି ପ୍ରତି ନାଗରିକ ମାନଙ୍କର ହତାଦର ଦେଖା ଯାଉଛି ।

 

ସତୀ ସାଧ୍ୱୀ ସୀତାଙ୍କୁ ଅପମାନ ଦେଇ ରାବଣର ଯେ ଦୂରବସ୍ଥା ହୋଇଛି, ତାହା କେଉଁ ହିନ୍ଦୁ ନ ଜାଣେ ? ସ୍ୱର୍ଣ୍ଣପୁରୀ ଲଙ୍କା ବିଧ୍ୱସ୍ତ ହୋଇଯାଇଛି, ରାବଣର ବଂଶ ଲୋପ ପାଇ ଯାଇଛି; ସୂର୍ପଣଖାକୁ ଅପମାନ ଦେଇଥିଲେ ବୋଲି ଭଗବାନ୍‌ ରାମଚନ୍ଦ୍ର ସୁଦ୍ଧା ନିଜ ସ୍ତ୍ରୀକୁ ହରାଇଥିଲେ, ଭୀଷଣ ଅପମାନ ସହ୍ୟ କରିଥିଲେ । ଦ୍ରୌପଦୀଙ୍କୁ ଅପମାନ ଦେଇ ମହାମାନୀ ଦୁର୍ଯ୍ୟୋଧନର କି ସର୍ବନାଶ ହୋଇ ନାହିଁ ? କେବଳ କୁରୁ ବଂଶର ନୁହେଁ, ସମଗ୍ର ଭାରତବର୍ଷର ଧ୍ୱଂସ ସେହି ଦିନଠାରୁ ଆରମ୍ଭ ହୋଇଛି, କହିଲେ ଚଳେ । ହେଲେନା ହରଣରେ ଟ୍ରୟର ଧ୍ୱଂସ ହୋଇଛି, ଏହା ଇତିହାସ ସ୍ପଷ୍ଟ ଭାବରେ ପ୍ରମାଣ ଦେଇଛି ।

 

ରୋମାନ ଜାତିର ସଭ୍ୟତା ପୂର୍ବେ ନାରୀଜାତି ପ୍ରତି ଅବମାନନା କିପରି ଭାବରେ ଥିଲା, ତାହା ଇତିହାସ ଆଲୋଚନା କଲେ ଜଣା ପଡ଼େ । ରୋମାନ ଆଇନ ଅନୁସାରେ ସ୍ତ୍ରୀ ଏକାବେଳକେ ପରତନ୍ତ୍ରୀ ଥିଲା । ଅବିବାହିତା ଅବସ୍ଥାରେ କୁଟୁମ୍ବରେ ତାକୁ ଠିକ୍‌ ଦାସୀପରି କାର୍ଯ୍ୟ କରିବାକୁ ପଡ଼ୁଥିଲା । ବିବାହ ପରେ ସୁଦ୍ଧା ତାର ଅବସ୍ଥାର କିଛି ପରିବର୍ତ୍ତନ ହେଉ ନ ଥିଲା; ଜାତିର ସେବା କରିବ, ଘରର ସମସ୍ତଙ୍କ ସେବା କରିବ, ଦାସୀ ରୂପରେ ଜୀବନ ନିର୍ବାହ କରିବ । ଘରେ କୈାଣସି ବିଷୟରେ ତାର ଅଧିକାର ନାହିଁ । ଯଦି କୈାଣସି ସ୍ତ୍ରୀ କୈାଣସି ପୁରୁଷକୁ ନିଜ ହାତରେ ସରାବ ଦେଲା, କି ଜହର ଦେଲା, ତେବେ ରୋମାନ ଆଇନରେ ଏହିପରି ବ୍ୟବସ୍ଥା ଅଛି ଯେ, ପତି ସ୍ତ୍ରୀକୁ ଜୀବନରେ ମାରି ଦେଇପାରେ ! ସ୍ତ୍ରୀକୁ ବିଶ୍ୱାସ କରିବ, ଏ କଥା ରୋମାନମାନେ ମାନିବାକୁ ନାରାଜ । ଇଚ୍ଛା ନ ହେଲେ ସ୍ତ୍ରୀକୁ ଘରୁ ବାହାର କରିଦେବାର ଅଧିକାର ପତିର ଥିଲା । ସ୍ତ୍ରୀ ନିଜର ଇଚ୍ଛାନୁସାରେ କୈାଣସି ବିଷୟ କରିପାରୁ ନ ଥିଲା । ବର୍ତ୍ତମାନ ଏ ଅବସ୍ଥା ନାହିଁ ; କିନ୍ତୁ ଏହି ସମାଜ ଯେତେବେଳେ ଅସଭ୍ୟ ଅବସ୍ଥାରେ ଥିଲା, ସେତେବେଳେ ଏହିପରି ସବୁ ଦେଖା ଯାଉଥିଲା ।

 

ସିରିଆ ଓ ଫ୍ରୁନେସିଆ ପ୍ରଭୃତି ଅଞ୍ଚଳରେ ମଧ୍ୟ ନାରୀମାନଙ୍କର ଅବସ୍ଥା ନିତାନ୍ତ ଶୋଚନୀୟ ଥିଲା । ସେମାନଙ୍କୁ ପଶୁତୁଲ୍ୟ ବ୍ୟବହାର କରାଯାଉଥିଲା । ଏମାନେ କେବଳ ପୁରୁଷର କାମ ପ୍ରବୃତ୍ତି ଶାନ୍ତ କରିବା ପାଇଁ ନିର୍ମିତ ହୋଇଥିବା ପ୍ରତିମା ବୋଲି ବିବେଚିତ ହେଉଥିଲେ । ପିତା ଓ ପତିର ଘରେ ସେମାନେ କେବଳ ଦାସୀ । ଗୋଟିଏ ଯେ କୌଣସି ଲୋକ ପତି ହୋଇ ପାରୁଥିଲା । ବାଜିରେ ନାରୀକୁ ରଖାଯାଇ ପାରୁଥିଲା । ଜିଣିବା ପୁରୁଷ ପର ନାରୀକୁ ନେଇ ନିଜର ଦାସୀ କରି ରଖି ପାରୁଥିଲା । ଏ ସବୁ ଏହି ଦେଶର ଅସଭ୍ୟାବସ୍ଥାରେ ପ୍ରଚଳିତ ଥିଲା-

 

ଚୀନ ଦେଶରେ ଏହା ଥିଲା ଯେ, ନାରୀ ଦେବମନ୍ଦିରକୁ ଯାଇପାରିବ ନାହିଁ କି ଦେବତାକୁ ପୂଜା କରିପାରିବ ନାହିଁ କି ସ୍ପର୍ଶ କରିପାରିବ ନାହିଁ ।

 

ରୁଷ ଦେଶରେ ଏହି ପ୍ରଥାର ଚଳନ ଥିଲା ଯେ, ପତି ଅସନ୍ତୁଷ୍ଟ ହେଲେ ଭାର୍ଯ୍ୟାକୁ ମାଡ଼ ଦେଇପାରିବ ! ଭାର୍ଯ୍ୟା ବା ନାରୀ ପଶୁଠାରୁ ହୀନ ! ଦଶଜଣ ସ୍ତ୍ରୀ ହତ୍ୟାକଲେ ଜୀବହତ୍ୟା ଦୋଷ ଲାଗୁଥିଲା, ତାହା ନ ହେଲେ ନୁହେଁ ।

 

ଜାପାନର ମଧ୍ୟ ସେହି ଅବସ୍ଥା । ମନ୍ଦିରକୁ ଯିବା, ଦେବାରାଧନା କରିବା ତା ପ୍ରତି ନିଷେଧ ଥିଲା । ସେ ଏତେ ଅପବିତ୍ର ଓ ନୀଚ ।

 

ସ୍ପାର୍ଟା ଦେଶର ଅବସ୍ଥା କଣ ବୋଲି ବର୍ଣ୍ଣନା କରାଯାଇ ପାରିବ ? ଯେଉଁ ସ୍ତ୍ରୀ ଦୁର୍ବଳ, ପତିତ ହେବ, ସନ୍ତାନ ପ୍ରଜନନ ପାଇଁ ଅକ୍ଷମ ହେବ, ତାକୁ ଜୀବନରେ ମାରିଦେବାର ଅଧିକାର ପତିର ଥିଲା । କେବଳ କଥାବାର୍ତ୍ତାରେ ଅସନ୍ତୁଷ୍ଟ ହେଲେ ମଧ୍ୟ ତାକୁ ମାରିଦେବାର ଅଧିକାର ପୁରୁଷର ଥିଲା । ଗୋଟିଏ ନାରୀକୁ ବହୁ ପତିର ପତ୍ନୀତ୍ୱ ସ୍ୱୀକାର କରିବାକୁ ପଡ଼ୁଥିଲା । ସ୍ୱାମୀ ନିଜର ସ୍ତ୍ରୀକୁ ଅନ୍ୟ ପୁରୁଷକୁ ଉଧାର ଦେବାକୁ କୁଣ୍ଠା ମଣୁ ନ ଥିଲେ । ପୁଣି ଏହା ମଧ୍ୟ ପ୍ରଚଳିତ ଥିଲା ଯେ, ଦରକାର ପଡ଼ିଲେ ମହାଜନ ନିକଟରେ ନିଜର ସ୍ତ୍ରୀକୁ ବନ୍ଧକ ଦେଇ ସ୍ୱାମୀ କରଜ କରୁଥିଲେ ।

 

ଇଟାଲୀରେ ମଧ୍ୟ ସ୍ତ୍ରୀ ମାନଙ୍କ ଦଶା ଭଲ ନ ଥିଲା । ଘୋଡ଼ା ଭଲ ହେଉ କି ମନ୍ଦ ହେଉ ତାକୁ ଜବତ୍‌ କରିବାକୁ ଯେପରି ଲଗାମ ଭିଡ଼ା ହୁଏ, ଠିକ୍ ସେହିପରି ସ୍ତ୍ରୀ ଶାନ୍ତା ହେଉ କି ମୁଖରା ହେଉ ତାକୁ ଶାସନ କରିବାକୁ ପ୍ରହାର ଲୋଡ଼ା, ଏହି ନୀତି ପ୍ରଚଳିତ ଥିଲା । ଅନେକ ସମୟରେ ଦେବତାଙ୍କୁ ସନ୍ତୁଷ୍ଟ କରିବାପାଇଁ ବାଳିକା ବଳି ଦିଆ ଯାଉଥିଲା ।

 

ସ୍ପାର୍ଟା ଦେଶରେ ଏହା ମଧ୍ୟ ଥିଲା ଯେ, ଗୃହସ୍ୱାମୀ ଅତିଥି ସତ୍କାର କରିବାପାଇଁ ନିଜର ନାରୀକୁ ତାଙ୍କ ଅତିଥି-ସେବାରେ ନିୟୋଜିତ କରୁଥିଲେ । ଯଦି କୌଣସି ପୁରୁଷ ବୃଦ୍ଧାବସ୍ଥା ପ୍ରାପ୍ତ ହୁଏ ଏବଂ ଯଦି ତାର ଯୁବତୀ ସ୍ତ୍ରୀ ଥାଏ, ତେବେ ସେ ତାକୁ ଏକ ସୁନ୍ଦର ପୁରୁଷ ହସ୍ତରେ ଅର୍ପଣ କରି ସୁଖୀ ହେଉଥିଲେ ।

 

ଇରାନର ସ୍ତ୍ରୀ ବଜାରରେ ଫଳ ପୁଷ୍ପପରି ବିକ୍ରୟ ନିମନ୍ତେ ପଠା ଯାଉଥିଲେ । ନିଜର କାମ ପ୍ରବୃତ୍ତି ଚରିତାର୍ଥ କରିବା ନିମନ୍ତେ ଜଣେ ଜଣେ ପୁରୁଷ ଶତ ଶତ ନାରୀ ରଖି ପାରୁଥିଲେ ।

 

ବର୍ତ୍ତମାନ ଯୁଗରେ ପାଶ୍ଚାତ୍ୟ ସମାଜରେ ଅବସ୍ଥା ସନ୍ତୋଷ ଜନକ ଭାବରେ ପରିବର୍ତ୍ତିତ ହୋଇ ଯାଇଛି । ଯେଉଁ ଯେଉଁ ଦେଶର କଥା ବର୍ତ୍ତମାନ ବର୍ଣ୍ଣନା କରାଯାଉଚି, ଆଧୁନିକ ଯୁଗରେ ସେହି ସେହି ଦେଶର ନାରୀମାନଙ୍କ ଅବସ୍ଥା ପ୍ରାୟ ପୁରୁଷର ସମକକ୍ଷ । ସମାଜରେ ପୁରୁଷର ଯେତେ ସ୍ଥାନ ମଧ୍ୟ ପ୍ରାୟ ସେତିକି ସ୍ଥାନ ହୋଇ ସାରିଲାଣି । କି ରାଜନୈତିକ, କି ସାମାଜିକ ପ୍ରତ୍ୟେକ କ୍ଷେତ୍ରରେ ଅଧିକାର ବିଶେଷ ଭାବରେ ବୃଦ୍ଧି ପାଇଗଲାଣି ।

 

କିନ୍ତୁ ବର୍ତ୍ତମାନ ସମୟରେ ସୁଦ୍ଧା ହିନ୍ଦୁ ସମାଜରେ ଯେ ସ୍ଥାନ, ସେ ଯେ କେତେ ନିମ୍ନରେ ତାହା କହିବା ଅନାବଶ୍ୟକ । ଅତୀତ ଯୁଗରେ ଅବସ୍ଥା ଯାହା ଥିଲା, ବର୍ତ୍ତମାନ ଅବସ୍ଥାରେ ତାର ପରିବର୍ତ୍ତନ ହୋଇଛି ବୋଲି ତ ମନେ ହୁଏ ନାହିଁ । ନୀତିକାରମାନେ କହି ଯାଇଛନ୍ତି, ‘‘ପିତା ରକ୍ଷତି କୌମାରେ, ଭର୍ତ୍ତା ରକ୍ଷତି ଯୌବନେ, ପୁତ୍ରୋ ରକ୍ଷତି ବାର୍ଦ୍ଧକ୍ୟେ, ନ ସ୍ତ୍ରୀ ସ୍ୱାତନ୍ତ୍ର୍ୟ ମର୍ହତ ।’’ ନାରୀଜାତି କେବେ ସ୍ୱତନ୍ତ୍ର ହୋଇପାରେ ନା, ସେ ସର୍ବଦା ଅଧୀନା । ସେ ଅଧୀନା ଥାଇ କେବଳ ପୂଜା ପାଇବ । ‘‘ଯତ୍ର ନାର୍ଯ୍ୟସ୍ତୁ ପୂଜ୍ୟନ୍ତେ, ରମନ୍ତେ ତନ୍ତ୍ର ଦେବତା’’ ବୋଲି ଯାହା କୁହାଯାଉଛି, ତାହା ସ୍ୱାଧୀନ ଅବସ୍ଥାକୁ ଲକ୍ଷ କରୁ ନାହିଁ । ଅତୀତ ଯୁଗରେ ଆମର ମାତୃଜାତି ସର୍ବ ଦିଗରେ ଉଚ୍ଚ ସ୍ଥାନ ଅଧିକାର କରୁଥିଲେ ଓ ଆମେ ତାଙ୍କୁ ପୂଜା କରୁଥିଲୁ ବୋଲି ଯେଉଁମାନେ କହୁଛନ୍ତି, ସେମାନେ ଆମ ମାତୃଜାତର ପ୍ରକୃତ ଚିତ୍ର ଅଙ୍କନ କରୁଛନ୍ତି ବୋଲି ବିଶ୍ୱାସ ହେଉ ନାହିଁ ।

 

ନାରୀ ଜାତିର ଅବସ୍ଥା କିଏ ନ ଜାଣେ ? ସ୍ଥାନ ଗୃହର ଅନ୍ତରାଳରେ, ଅନ୍ଧକାର ମଧ୍ୟରେ-। ବାହ୍ୟ ଜଗତ୍‌ ସହିତ ତାର କିଛି ସମ୍ବନ୍ଧ ନାହିଁ । ସେ ତା ପ୍ରତି ଉଦାସୀନା । ଜଗତରେ କଣ ଘଟୁଛି, କିପରି ଭାବରେ ଜୀବନସଂଗ୍ରାମ ଚାଲିଛି, ଜଗତ୍‌ ଉଠୁଛି କି ପଡ଼ୁଛି, ଏଥିପ୍ରତି ତାର ଚାହିଁବାର ଉପାୟ ନାହିଁ । ସେ ଅନ୍ଧ– କେବଳ ପରିବାରର ପୁରୁଷମାନଙ୍କର ସେବା ଶୁଶ୍ରୁଷା ତାର ସବୁ । ସେବା ଶୁଶ୍ରୁଷାର ମୂଲ୍ୟ ନାହିଁ, ଏହା ଅଶୋଭନୀୟ ବୋଲି କେହି କହୁ ନାହିଁ; କିନ୍ତୁ ବାଧ୍ୟବାଧକତା କରି ପ୍ରତିଜ୍ଞାବଦ୍ଧ କୁଲିଗିରି କରାଇବା କୌଣସି ସଭ୍ୟ ସମାଜ ପକ୍ଷରେ ଶୋଭନୀୟ ନୁହେଁ । ଚାରିକଥା ଶିଖିବ, ଚାରିକଥାର ଜ୍ଞାନ ଅର୍ଜିବ, କର୍ମକ୍ଷେତ୍ରରେ ଆନନ୍ଦ ଉତ୍ସବରେ ବିମଳ ଆନନ୍ଦ ଉପଭୋଗ କରିବ, ଏହା ନାରୀ ଅଦୃଷ୍ଟରେ କାହିଁ ? ତା’ର ସବୁ ସଂସାର ଗୃହର ଚତୁଃସୀମା ମଧ୍ୟରେ । କେବଳ ଖାଇବା ପିଇବା, ବାଧ୍ୟ ହୋଇ ଖାଟିବା ଏଇତକ ହେଲେ ତାର ସବୁ ଶେଷ । ନାରୀମାନେ ବର୍ତ୍ତମାନ ରନ୍ଧନଶାଳାର ଅଧିଷ୍ଠାତ୍ରୀ ଦେବୀ । ଆମ୍ଭମାନଙ୍କର ମନରେ ଯେତେବେଳେ ନାରୀଜାତି କଥା ଜାଗ୍ରତ ହୁଏ, ସେତେବେଳେ ଆମ୍ଭମାନଙ୍କର ଦୃଷ୍ଟି ସ୍ୱତଃ ସେହି ଅନ୍ଧକାରମୟ ଗୃହକୋଣକୁ ଯାଏ ।

 

ଶାସ୍ତ୍ରକାରମାନେ ସବୁ ସମୟରେ ନାରୀଜାତିକୁ ସନ୍ଦେହ ଚକ୍ଷୁରେ ଦେଖି ଆସୁଛନ୍ତି । ‘ନଦୀନାଞ୍ଚ ନଖିନାଞ୍ଚ ଶୃଙ୍ଗୀଣାଂ ଶସ୍ତ୍ରପାଣିନାଂ, ବିଶ୍ୱାସୋନୈକ କର୍ତ୍ତବ୍ୟଃ ସ୍ତ୍ରୀଷୁ ରାଜକୁଳେଷୁ ଚ ।’ ସ୍ତ୍ରୀ କେବେ ବିଶ୍ୱାସଯୋଗ୍ୟା ନୁହେଁ; ସେ ଯେପରି କୁଳଟା, ସତ୍ୟାନାଶୀ– ଏହି ଧାରଣା ଯେ କେତେ ଘୃଣ୍ୟ ତାହା ଲେଖିବା ଅନାବଶ୍ୟକ ।

 

ସ୍ୱୀକାର କରୁଁ, ନାରୀ ଓ ପୁରୁଷର ପ୍ରଭାବ ସ୍ୱତନ୍ତ୍ର । କମନୀୟତା, କୋମଳତା, ସହନଶୀଳତା ନାରୀ ଜାତିର ଶୋଭା । କଠୋର ବୃତ୍ତି, ଅସୀମ ଶାରୀରିକ ବଳ ପୁରୁଷ ପକ୍ଷରେ କେବଳ ସମ୍ଭବପର, ଏହା ସତ୍ୟ । ସେହି ହେତୁ ଯେ, ସଂସାରର କୌଣସି କ୍ଷେତ୍ରରେ ଅଧିକାର ରହିବ ନାହିଁ, ଏହାର ଅର୍ଥ ବା କଅଣ ? କୋମଳତା, କମନୀୟତା ତାର ଶୋଭା ବୋଲି ତାର ସ୍ୱାଧୀନତା ଉପରେ ଅଯଥା ଆକ୍ରମଣ କରାଯିବ ଏହା ପ୍ରକୃତରେ ଶୋଭନୀୟ କି-ଯୁକ୍ତିଯୁକ୍ତ କି ? ନାରୀ ଯେଉଁଠାରେ ଦକ୍ଷତା ଦେଖାଇ ପାରିବ, ଯେଉଁଠାରେ ପୁରୁଷ ସହ ସମାନ ଭାବରେ ଠିଆ ହୋଇ ପାରିବ, ସେଠାରେ ବା ସେ କାହିଁକି ପୁରୁଷପରି ଅଧିକାର ପାଇବ ନାହିଁ ।

 

କମନୀୟତା, କୋମଳତା, ସହନଶୀଳତା, ଲଜ୍ଜାଶୀଳତା, ଶାଳୀନତା ଯେ କେବଳ ଗୃହକୋଣରେ ଉତ୍ତମ ରୂପେ ପରିଷ୍ଫୁଟ ହେବ, ଏହା ନୁହେଁ । ଉପଯୁକ୍ତ ସୁବିଧା ପାଇଲେ ଓ କ୍ଷେତ୍ର ପାଇଲେ ନାରୀ ତାର ମହତ୍‌ ଗୁଣ ବଳରେ ଜଗତର ଅଶେଷ ମଙ୍ଗଳ ସାଧନ କରିପାରେ । ପୁରୁଷ ଜାତି ଏହା ହୃଦୟଙ୍ଗମ କରିପାରି ନାହିଁ ବୋଲି ବର୍ତ୍ତମାନ ଏ ଜାତୀୟ ଦୁରବସ୍ଥା ଭୋଗ କରିବାକୁ ପଡ଼ୁଛି ।

 

ସ୍ତ୍ରୀ ଓ ପୁରୁଷ ମଧ୍ୟରେ କେତେଗୁଡ଼ିଏ ପ୍ରକୃତିଗତ ବୈଷମ୍ୟ ପରିଲକ୍ଷିତ ହୁଏ ବୋଲି ଯେ ସ୍ତ୍ରୀ ସବୁବେଳେ ପୁରୁଷର ଅଧୀନତା ସ୍ୱୀକାର କରି ରହିବ, ଏହା ଆଦୌ ଯୁକ୍ତିଯୁକ୍ତ ନୁହେଁ । ଏହି ପ୍ରକୃତିଗତ ବୈଷମ୍ୟ ହେତୁ ନାରୀଜାତିକୁ କେତେକ କୃତ୍ରିମ ଶୃଙ୍ଖଳ ଦ୍ୱାରା ଆବଦ୍ଧ କରି ରଖିବା ପଦ୍ଧତି କେବଳ ଆମ ଦେଶରେ ନୁହେଁ, ୟୁରୋପରେ ମଧ୍ୟ ଅଷ୍ଟାଦଶ ଶତାବ୍ଦୀର ଶେଷ ପର୍ଯ୍ୟନ୍ତ ଥିଲା । ସେହି କୃତ୍ରିମ ଶୃଙ୍ଖଳମାନଙ୍କ ମଧ୍ୟରୁ କେତୋଟି ନିମ୍ନରେ ପ୍ରଦତ୍ତ ହେଲା ।

 

୧.

ପାରିବାରିକ ବିଷୟରେ ସ୍ତ୍ରୀ ସର୍ବଦା ସ୍ୱାମୀର ଅନୁବର୍ତ୍ତିନୀ ହେବ ।

୨.

ସ୍ତ୍ରୀ ଶିକ୍ଷା ଗୋଟିଏ ଅସ୍ୱାଭାବିକ ସୀମାବିଶିଷ୍ଟ ଗଣ୍ଡିଭିତରେ ରହିବ । ଏପରି କରିବାର କାରଣ ହେଉଛି କାଳେ ସ୍ତ୍ରୀମାନେ ନାନା ପ୍ରକାର ଉଚ୍ଚଶିକ୍ଷା ପାଇ ସ୍ୱାଧୀନା ହୋଇ ଉଠିବେ, ଆଉ ସ୍ୱାମୀମାନଙ୍କର ଏକାଧିପତ୍ୟ ସ୍ୱୀକାର କରିବାକୁ ରାଜି ହେବେ ନାହିଁ ।

୩.

ସ୍ତ୍ରୀଜାତି ପାଇଁ ନୀତି ଜ୍ଞାନର ଗୋଟିଏ ବିଶେଷ ସଂଜ୍ଞା ରହିବ । ଉଦାହରଣ ସ୍ୱରୂପ କୁହାଯାଇ ପାରେ ଯେ ‘ସତୀ’ ବୋଲି ଯେଉଁ ନାମ ଆମ୍ଭେମାନେ ସର୍ବଦା ଶୁଣୁ, ତାହା ନାରୀ ଜାତିପାଇଁ ସବୁବେଳେ ପ୍ରଯୁଜ୍ୟ । ପୁରୁଷମାନଙ୍କ ପ୍ରତି ସମାନାର୍ଥବୋଧକ କୌଣସି ପଦ ପ୍ରଯୁଜ୍ୟ ହୋଇଥିବାର ଆମ୍ଭେମାନେ ଦେଖୁନାହୁଁ ।

୪.

ସଂସ୍କାର-ପ୍ରସୂତ ସମାଜିକ ଆଚାର ବ୍ୟବହାରର ଆଇନମାନ କେବଳ ନାରୀଜାତି ମାନି ଚଳିବେ ।

 

ବର୍ତ୍ତମାନ ସମାଜରେ ଏହି ସଂସ୍କାର-ସଂଜାତ ଆଇନ ସମାଜର ବିଧି ନିଷେଧ ଠାରୁ ଆରମ୍ଭ କରି ସରକାରଙ୍କ ଆଇନ ପର୍ଯ୍ୟନ୍ତ ବନ୍ଧା ହୋଇ ରହିଛି । ଏହି ଆଇନ ଆଜି ୧୫ କୋଟି ନାରୀଙ୍କର କେବଳ ଦେହର ପଞ୍ଚଇନ୍ଦ୍ରିୟ ନୁହେଁ, ମନ ନାମକ ଷଷ୍ଠ ଇନ୍ଦ୍ରିୟକୁ ମଧ୍ୟ ବନ୍ଧନର ନାଗଫାଶରେ ବାନ୍ଧି ଦେଇଛି ।

୫.

ଆର୍ଥିକ ଅଧୀନତାରେ ବିଶେଷ ଅଭିଜ୍ଞତା ରହିଥିବ । ଏହି ଅଭିଜ୍ଞତା ଜନ୍ମକାଳଠାରୁ ମୃତ୍ୟୁକାଳ ପର୍ଯ୍ୟନ୍ତ ରହିଥାଏ-ରହିଥିବ ।

୬.

କାଳୋପଯୋଗୀ ଉଚ୍ଚଭାବ ଓ ସ୍ୱାଧୀନ ଚିନ୍ତା ପ୍ରଭାବରୁ ନାରୀ ଜାତିକୁ ସଯତ୍ନରେ ରକ୍ଷା କରିବାକୁ ହେବ ।

 

ଏହି ‘ସଯତ୍ନ ରକ୍ଷା’ ହୋଇଅଛି ବୋଲି ଆଜି ନାରୀଜାତି ଆକାଶକୁ ନିଃସହାୟ ଭାବରେ ଚାହିଁ ରହିଛି । ‘ପଥି ନାରୀ ବିବର୍ଜିତା’ ପୁରୁଷ ଯେ ବିପଦ୍‌କାଳୀନ ନୀତି ତୟାର କରିଛି, ସେହି ନୀତିକୁ ‘ଭାଗ୍ୟର ଦୋଷ’ ବୋଲି ବିଧାତାକୁ ଦୋଷ ଦେଇ ମାନି ନେବାକୁ ସେ ସଦା ତତ୍‌ପର ଥାଏ ।

୭.

ପଶୁ ପ୍ରକୃତି ପୁରୁଷ ଦ୍ୱାରା ଯଦି କୌଣସି ସମ୍ଭ୍ରାନ୍ତବଂଶୀୟା ମହିଳା ବଳପୂର୍ବକ ଅତର୍କିତ ଭାବରେ ଆକ୍ରାନ୍ତ ହୁଏ, ତେବେ ସୁଦ୍ଧା ସେ ତା ପ୍ରତି ହୋଇଥିବା ଅତ୍ୟାଚାରକୁ ପ୍ରକାଶ କରିବା ପାଇଁ ସୁବିଧା ପାଏ ନାହିଁ । ଯଦି ସେ ‘ଅବଳାଜନୋଚିତ’ ସହିଷ୍ଣୁତା ତ୍ୟାଗ କରି ଶତ୍ରୁର ସମୁଚିତ ଦଣ୍ଡ ବିଧାନ ନିମନ୍ତେ ପ୍ରକାଶ୍ୟ ଭାବରେ କୌଣସି ପ୍ରକାର ଚେଷ୍ଟା କରେ ତେବେ ତାକୁ ନିଶ୍ଚୟ ସାମାଜିକ ନିନ୍ଦା ସହିବାକୁ ହେବ ଏବଂ ଜନସାଧାରଣ ତାକୁ ଜାତିଚ୍ୟୁତ କରି ରଖିବେ । ଏହାର ଉଦାହରଣ ଆମ ପ୍ରତିବେଶୀ ବଙ୍ଗଳାରେ ଏତେ ବେଶୀ ଯେ, ଯେଉଁମାନେ ସେଠାରୁ ବାହାରୁଥିବା, ମାସିକ, ସାପ୍ତାହିକ ଓ ଦୈନିକ ପତ୍ରିକାମାନଙ୍କର ନିୟମିତ ପାଠକ ହୋଇଥିବେ, ସେମାନେ ଏହାର ସତ୍ୟତା ମର୍ମ୍ମେ ମର୍ମ୍ମେ ଅନୁଭବ କରୁଥିବେ ।

 

ଏହିପରି କେତେଗୁଡ଼ିଏ କୃତ୍ରିମ ଶୃଙ୍ଗଳ ଦ୍ୱାରା ନାରୀଜାତିକୁ ବନ୍ଧନ କରି ରଖିବା ଚେଷ୍ଟା ହୋଇଛି, ତାହା ଅସ୍ୱୀକାର କରିବାର ଉପାୟ ନାହିଁ । ଏହି ଶୃଙ୍ଖଳ ଗୁଡ଼ିକ ଦେବତା ଗଢ଼ା ନୁହେଁ-ମନୁଷ୍ୟ ଗଢ଼ା । ପୁରୁଷ ନିଜ ହାତରେ ସେ ସବୁ ଗଢ଼ିଛି । ଏହି ଶୃଙ୍ଖଳ ଦ୍ୱାରା ନାରୀଜାତିକୁ ମାନବ ପର୍ଯ୍ୟାୟ ଭୁକ୍ତ ନ କରି ଯେପରି ପଶୁ ପକ୍ଷୀ ଜାତିର ଅନ୍ତର୍ଭୁକ୍ତ କରିଛନ୍ତି ।

 

ଆଜି ଅନ୍ତରାତ୍ମା ମୁକ୍ତିପ୍ରୟାସୀ । ମୁକ୍ତି ପଥର ସକଳ ଅନ୍ତରାୟକୁ ସେ ନିଜର ଅନ୍ତର୍ନିହିତ ଶକ୍ତି ବଳରେ ଦଳି ଦେଇ ତାର ନ୍ୟାଯ୍ୟ ଦାବୀ ସାବ୍ୟସ୍ତ କରିବାପାଇଁ ବଦ୍ଧପରିକର । ତାର ଅନ୍ତରାତ୍ମା କାରାରୁଦ୍ଧ ହୋଇ ରହିଥିବ; ଏହା ହୋଇପାରେ ନା । ବର୍ତ୍ତମାନ ଏହା ଅସହ୍ୟ ହୋଇ ପଡ଼ିଛି । ଏହା ଅସହ୍ୟ ହୋଇ ପଡ଼ିଛି ବୋଲି ଏହି ବିଦ୍ରୋହର ବହ୍ନି ଦେଖା ଯାଇଛି । ସକଳ ପ୍ରକାର କୁସଂସ୍କାରକୁ ସେ ଛିଣ୍ଡାଇ ଫୋପାଡ଼ିବାକୁ ଛିଡ଼ା ହୋଇଛି-ନିଜର ଜୀବନକୁ ନୂତନ କରି ଗଢ଼ିବାକୁ ସେ ସକଳ ପ୍ରକାର ଚେଷ୍ଟା କରୁଛି ।

 

କେବଳ ଆମ ଦେଶରେ ନୁହେଁ, ସମଗ୍ର ପୃଥିବୀରେ ଏ ବିଦ୍ରୋହ ଦେଖା ଦେଇଛି । ପାଶ୍ଚାତ୍ୟ ଦେଶରେ ସ୍ତ୍ରୀର ପୂର୍ଣ୍ଣ ସ୍ୱାତନ୍ତ୍ର୍ୟପାଇଁ ଚେଷ୍ଟା ଚାଲିଛି । ପତ୍ନୀର ପୂର୍ଣ୍ଣ ସାମାଜିକ ସ୍ୱାଧୀନତା ପାଇଁ ଯେଉଁ ଆନ୍ଦୋଳନ ହେଉଛି, ତାର ଏକ ବିବରଣୀ ପଢ଼ିଲେ ସବୁ ଜଣାପଡ଼ିବ ।

 

କେତେକ ଦିନ ତଳେ ଖବର କାଗଜରେ ଯେ ବିବରଣୀ ପ୍ରକାଶ ପାଇଥିଲା, ତାହା ନିମ୍ନରେ ଉଦ୍ଧୃତ କରାଗଲା ।

 

ଇଂଲଣ୍ଡରେ ପତ୍ନୀର ସାମାଜିକ ସ୍ୱାଧୀନତା ସମ୍ବନ୍ଧରେ ଅଦାଲତରେ କେତେକ ଦିନ ତଳେ ଗୋଟିଏ ମକଦ୍ଦମା ହୋଇଥିଲା । ତାହା ଏହି ପ୍ରକାର:- ଅଭିଯୁକ୍ତା ସ୍ତ୍ରୀ ସହିତ ଅଭିଯୁକ୍ତ ପୁରୁଷର ଅନେକ ବର୍ଷର ମିତ୍ରତା ଥିଲା । ସେ ମିତ୍ରତା ବିବାହ ପୂର୍ବରୁ ମଧ୍ୟ ଥିଲା । କେବେ କେବେ ଅଭିଯୁକ୍ତ ପୁରୁଷ ସେହି ସ୍ତ୍ରୀ ସହିତ ଦେଖା ସାକ୍ଷାତ୍‌ କରୁଥାଏ । ସମୟ ସମୟରେ ସେ ସ୍ତ୍ରୀ ମିତ୍ରର ଘରକୁ ଯାଏ ଏବଂ କେତେବେଳେ ବା ତା ସହିତ ବୁଲିବାକୁ ଯାଏ– ପୁଣି ଘରକୁ ଫେରି ଆସେ । ଥରେ ପତି ପତ୍ନୀଙ୍କ ମଧ୍ୟରେ କଳହ ହେଲା । ପତି ତାକୁ ମାଡ଼ ଦେଲା ଓ ଧମକାଇଲା । ପତ୍ନୀ ନିଜର ପିଲାମାନଙ୍କୁ ଧରି ମିତ୍ର ଘରକୁ ଚାଲିଗଲା । ପତି ସେଠାକୁ ଯାଇ ପତ୍ନୀକୁ ଫେରାଇ ଦେବାକୁ ଅଭିଯୁକ୍ତ ପୁରୁଷକୁ କହିଲା, କିନ୍ତୁ ମିତ୍ର ଉତ୍ତର ଦେଲା ଯେ, ଯେତେଦିନ ପର୍ଯ୍ୟନ୍ତ ସେ ସ୍ତ୍ରୀ ନିଜର ଇଚ୍ଛାରେ ତାର ଘରୁ ବାହାର ନ ହୋଇଛି ସେତେ ଦିନ ଯାଏ ସେ ତାକୁ ଯିବାପାଇଁ କହିବ ନାହିଁ । ପତି କହେ, ତାର ପତ୍ନୀକୁ ଅଭିଯୁକ୍ତ ପୁରୁଷ ଭୁଲାଇ ତା ଠାରୁ ଛଡ଼ାଇ ନେଇଛି । କିନ୍ତୁ ଅଦାଲତର ଜେରାରୁ ଜଣାଗଲା ଯେ ସ୍ତ୍ରୀ ଓ ମିତ୍ର ମଧ୍ୟରେ କୌଣସି ଅନୁଚିତ ବ୍ୟବହାର ନ ଥିଲା । ସେମାନଙ୍କ ମଧ୍ୟରେ ସୌହାର୍ଦ୍ଦ୍ୟ ଥିଲା, ଉଭୟଙ୍କ ମଧ୍ୟରେ ପ୍ରେମପତ୍ରର ଆଦାନପ୍ରଦାନ ହୋଇ ନ ଥିଲା, ଅର୍ଥାତ୍‌ ନୈତିକ ଦୃଷ୍ଟିରେ ମିତ୍ରତା ବିଶୁଦ୍ଧ । ଏହି ମକଦ୍ଦମାର ଜଷ୍ଟିମ୍‌ ମେକାର୍ଡ଼ି ରାୟ ଦେଲେ ଯେ, ବିବାହିତା ସ୍ତ୍ରୀ ଆପଣାର ଇଚ୍ଛାନୁସାରେ ପତିର ବିନାନୁମତିରେ ଘରୁ ବାହାରକୁ ଯାଇପାରେ । ପତ୍ନୀର ସ୍ୱତନ୍ତ୍ର ପ୍ରବୃତ୍ତିକୁ ରୋଧିବାର ଅଧିକାର ପତିର ନାହିଁ ।

 

କୌତୁହଳ ନିବାରଣ ପାଇଁ ଜଷ୍ଟିସ୍‌ ମେକାର୍ଡ଼ିଙ୍କ ରାୟର କେତେକାଂଶ ନିମ୍ନରେ ଉଦ୍ଧୃତ ହେଲା–

 

‘‘ଇଂରେଜ ଆଇନାନୁସାରେ ଯଦି ସ୍ତ୍ରୀ ଇଚ୍ଛାକରେ ତେବେ ସେ ତାର ସ୍ୱାମୀକୁ ଛାଡ଼ି ଦେଇପାରେ । ଗତ ୫୦ ବର୍ଷଠାରୁ ଆଇନଦ୍ୱାରା ସ୍ତ୍ରୀମାନଙ୍କର ସ୍ଥାନ ଅତି ମାତ୍ରାରେ ପରିବର୍ତ୍ତିତ ହୋଇ ଯାଇଛି । ମୁଁ ଏହି କଥାଟା ଅଖାଡ଼ୁଆ ଭାବରେ କହିବାକୁ ଚାହେଁ; କାରଣ ଏପରି ବିଷୟରେ ଅଗାଡ଼ୁଆ ଭାବରେ ମୋର ବିଶ୍ୱାସ ।

 

‘‘ମୁଁ କହୁଛି, ସ୍ତ୍ରୀର ଦେହ କେବେ ସ୍ୱାମୀର ହୋଇପାରେ ନା । ଏହା ତାର ନିଜସ୍ୱ ସମ୍ପତ୍ତି, ସ୍ୱାମୀର ନୁହେଁ । ନିଜ ଇଚ୍ଛାନୁସାରେ ସେ ସ୍ୱାମୀକୁ ପରିତ୍ୟାଗ କରିପାରେ, ସେ ତାର ବ୍ୟବସାୟ ନିର୍ବାଚନ କରିପାରେ, ମନମୁତାବକ ରାଜନୈତିକ ଦଳରେ ଯୋଗଦାନ କରିପାରେ । ସନ୍ତାନ ପ୍ରସବ କରିବ କି ନା, ଏ ସମ୍ବନ୍ଧରେ ତାର ସମ୍ପୂର୍ଣ୍ଣ ଅଧିକାର ଅଛି ଏବଂ କେବେ ସନ୍ତାନ ଜନ୍ମ କରିବ ସେ ତାହା ସ୍ଥିର କରିପାରେ । ବିବାହକୁ ମୂଳ କରି କୌଣସି ଲୋକ ସ୍ତ୍ରୀକୁ ନିଜର ଅଧୀନରେ ରଖିପାରେ ନାହିଁ । ଏହି ଦେଶର ମହିଳା ସ୍ୱାଧୀନତା ପାଇଛି; ସେ ନାଗରିକା, କ୍ରୀତଦାସୀ ନୁହେଁ । ସେ ନିଜ ମତକୁ କାର୍ଯ୍ୟରେ ପରିଣତ କରିପାରେ । ଏହି ଦେଶର ବୈବାହିକ ଜୀବନର ଆନନ୍ଦ ଆଇନ କାନୁନରୁ ମିଳେ ନାହିଁ । ପରସ୍ପରର ଦୟା, ପରସ୍ପରର ଶାଳୀନତା, ପରସ୍ପରର କ୍ଷମା ଓ ତ୍ୟାଗ, ସର୍ବୋପରି ବିବାହ ପରସ୍ପରର ନୈତିକତା ଉପରେ ପୂରା ନିର୍ଭର କରେ ।

 

ଯଦି କେହି ଗ୍ଲାନିଜନକ ବିବାହର କାରଣ ଅନୁସନ୍ଧାନ କରିବାକୁ ଯାଏ (ମୁଁ ମଧ୍ୟ ଏପରି ବିବାହ ଅନେକ ବର୍ଷ ହେଲା ଦେଖି ଆସୁଛି), ତେବେ ସେ ଦେଖିବ, ଏ ଅସନ୍ତୋଷପୂର୍ଣ୍ଣ ଓ ଅମନୋମତ ବିବାହର ମୂଳରେ ପ୍ରଥମତଃ ଉପରଲିଖିତ ବିଷୟର ଅଭାବ, ଦ୍ୱିତୀୟତଃ ସ୍ୱଭାବ ଅଭାବ, ତୃତୀୟତଃ ଯୌନ ଶୃଙ୍ଖଳର ଅସନ୍ତୋଷଜନକ ସଂଯୋଜନା । ବର୍ତ୍ତମାନ ମୁଁ ବିବାହିତ ପୁରୁଷ ଓ ନାରୀଙ୍କ ମଧ୍ୟରେ ମିତ୍ରତା ସମ୍ବନ୍ଧରେ ଆଲୋଚନା କରିବାକୁ ଚାହେନା । ଏହା ମନୁଷ୍ୟ ଓ ପାରିପାର୍ଶ୍ୱିକ ଅବସ୍ଥା ଉପରେ ଅନେକ ନିର୍ଭର କରେ । ସାମାଜିକ ଅସାମ୍ୟ ପ୍ରତି ମୋ ଅପେକ୍ଷା ଆଉ କାହାର ଅଧିକ ଘୃଣା ଥିବାର ମନେ ହେଉ ନାହିଁ ।’’

 

ଜଷ୍ଟିସ୍‌ ମେକାର୍ଡ଼ିଙ୍କ ରାୟ ସମଗ୍ର ପାଶ୍ଚାତ୍ୟ ଦେଶରେ ଗୋଟାଏ ଚହଳ ପକାଇଛି । ନାରୀଜାତି ପ୍ରତି ଏପରି ମନୋଭାବ ଏତେ ଅତର୍କିତ ଭାବରେ ମାନବ ସମାଜ ଉପରେ ପଡ଼ିଛି ଯେ, ତାହା ଯଥାର୍ଥ ହେଲେ ହେଁ ତାକୁ ହଠାତ୍‌ ଗ୍ରହଣ କରିବାକୁ ସେ ସମର୍ଥ ହୋଇପାରୁ ନାହିଁ । ଗତ ୟୂରୋପୀୟ ମହାସମରର ପୂର୍ବ ଓ ପର ଅବସ୍ଥା ଦେଖିଲେ ଜଣାଯିବ ଯେ, ନାରୀଜାତିର ଏହି ଯେ ବିକାଶ ତାହା ଏକ ପ୍ରକାର ପାତାଳରୁ ସ୍ୱର୍ଗକୁ ଉଠିବା ପରି । ମହାସମର ପୂର୍ବେ ପାଶ୍ଚାତ୍ୟ ଦେଶରେ ନାରୀମାନଙ୍କର ଅବସ୍ଥା ଠିକ୍‌ ବର୍ତ୍ତମାନ ଭାରତର ନାରୀମାନଙ୍କ ଅବସ୍ଥା ପରି ଥିଲା । ସ୍ତ୍ରୀକୁ ଗୋଲାମ ବୋଲି ପୁରୁଷ ମନେ କରୁଥିଲା । କିନ୍ତୁ ମହାସମର ସମୟର ଅବସ୍ଥା ସେମାନଙ୍କ ଅବସ୍ଥାକୁ ସମ୍ପୂର୍ଣ୍ଣ ବଦଳାଇ ଦେଇଛି । ଯେତେବେଳେ ଲକ୍ଷ ଲକ୍ଷ ପୁରୁଷ ଯୁଦ୍ଧାଙ୍ଗନକୁ ଡ଼େଇଁ ପଡ଼ିଲେ, ସେତେବେଳେ ବାଧ୍ୟ ହୋଇ ସ୍ତ୍ରୀମାନଙ୍କୁ ଘରର ସମସ୍ତ ଭାର ବହନ କରିବାକୁ ପଡ଼ିଲା । ଘର ସଜାଡ଼ି ରଖିବା ଛଡ଼ା ରୋଜଗାର କରି କୁଟୁମ୍ବ ପୋଷିବା ଭାର ମଧ୍ୟ ତାଙ୍କ ଉପରେ ପଡ଼ିଲା । କ୍ରମେ ଆତ୍ମବିଶ୍ୱାସ ଆସିଲା, ସେମାନଙ୍କର ଆଉ ନିଜେ ପୁରୁଷମାନଙ୍କ ଠାରୁ କୌଣସି ଅଂଶରେ ହୀନ ବୋଲି ଧାରଣା ହେଲା ନାହିଁ । ସମୟ ସୁବିଧା ପାଇଲେ ନାରୀ ଯେ ପୁରୁଷ ସହିତ ସମାନ ଭାବରେ ଛିଡ଼ା ହୋଇପାରିବ, ଏ ବିଶ୍ୱାସ ତାର ଦୃଢ଼ ହେବାକୁ ଲାଗିଲା । ପୁଣି କର୍ମକ୍ଷେତ୍ରରେ ପୁରୁଷ ସହିତ ମିଳାମିଶା କରି କାର୍ଯ୍ୟ କରିବା ଯୋଗୁଁ ସର୍ବପ୍ରକାର ଭୟ ତାର ମନରୁ ଦୂର ହୋଇଗଲା ।

 

କାଳକ୍ରମେ ଅବସ୍ଥା ଏକାବେଳକେ ଓଲଟା ହୋଇପଡ଼ିଲା । ସେ ଆଉ ଆବଦ୍ଧା ରହି ପୁରୁଷର କ୍ରୀଡ଼ା-ପୁତ୍ତଳୀ ହୋଇ ରହିବାକୁ ରାଜି ହେଲା ନାହିଁ । ଏହି ବିକାଶ ଯେ ସମାଜର ଉନ୍ନତି ପାଇଁ, ଏଥିରେ ସନ୍ଦେହ ନାହିଁ । ସ୍ତ୍ରୀ ନିଜେ ସ୍ୱାଧୀନ ହୋଇ ପୁରୁଷ ସହିତ ବିଶୁଦ୍ଧ ମିତ୍ରତା ସ୍ଥାପନ କରିବାରେ ଯେଉଁମାନେ ଦୋଷ ଦେଖୁଛନ୍ତି, ସେମାନେ କେବେ ଚାହାନ୍ତି ନାହିଁ ଯେ, ସମାଜର ଉନ୍ନତି ହେଉ । ସ୍ତ୍ରୀ ପୁରୁଷର ମିତ୍ର ହେବ ଓ ପୁରୁଷ ତାର ମିତ୍ର ହେବ ଏଥିରେ ରକ୍ଷଣଶୀଳ ଲୋକେ ଯେ ନାଶିକା କୁଞ୍ଚନ କରିବେ, ସେଥିରେ ବା ଅସମ୍ଭବ କଣ ? କିନ୍ତୁ ସ୍ୱୀକାର କରିବାକୁ ହେବ ସମାଜର ପ୍ରଗତି ନିମନ୍ତେ ଏପରି ବନ୍ଧୁହର ଆବଶ୍ୟକତା ଅଛି । ଅବଶ୍ୟ ସେ ସ୍ନେହ ବାସନାରହିତ ହେବା ଉଚିତ; ଏଥିରେ ଦ୍ୱିମତ କଣ ଥାଇପାରେ ? ବାସନାରହିତ, ବିଶୁଦ୍ଧ, ନିର୍ମଳ ସ୍ନେହ ମାନବ ଜାତିର ବିକାଶ ସାଧନ କରେ, ଜୀବନକୁ ଆନନ୍ଦମୟ କରେ ।

 

ଲର୍ଡ଼ ବେକନ୍‌ କହିଛନ୍ତି, ‘‘ଯଦି ସ୍ତ୍ରୀ ଓ ପୁରୁଷଙ୍କ ମଧ୍ୟରେ ସ୍ନେହ ରହିବ, ତେବେ ତାହା ବାସନାରହିତ ହେବା ଉଚିତ ।’’ ପାଶ୍ଚାତ୍ୟ ଜାତି ପରୀକ୍ଷା କରି ଦେଖିଛି, ବାସନାହୀନ ସ୍ନେହ ସ୍ତ୍ରୀ ଓ ପୁରୁଷ ମଧ୍ୟରେ ସମ୍ପୂର୍ଣ୍ଣ ସମ୍ଭବପର ଅଟେ । ଅନେକଙ୍କ ମତରେ ଆମ ଦେଶରେ ପ୍ରାଚୀନ କାଳରେ ମଧ୍ୟ ଏପରି ସମ୍ବନ୍ଧ ସ୍ତ୍ରୀ ଓ ପୁରୁଷ ମଧ୍ୟରେ ବିଦ୍ୟମାନ ଥିଲା ।

 

ଆଜି ହିନ୍ଦୁ ସମାଜରେ ନାରୀକୁ ବାହ୍ୟ ଜଗତରେ ସଙ୍ଗିନୀ ରୂପେ ନ ପାଇ ପୁରୁଷ ଭିତରେ ଅନେକ ଅଭାବ ପରିଲକ୍ଷିତ ହେଉଛି । ସମାଜ ଭିତରେ ସମାଜର ଅର୍ଦ୍ଧାଙ୍ଗ ଜଡ଼ହୋଇ ପଡ଼ିଥିବାରୁ ଜୀବ ସଂଗ୍ରାମରେ ଧୈର୍ଯ୍ୟ ସହକାରେ ଜାତି ଛିଡ଼ା ହୋଇ ପାରୁ ନାହିଁ-ସବୁବେଳେ ଅସ୍ୱସ୍ତି ବୋଧ କରୁଛି । ଯେତେ ଦିନ ପର୍ଯ୍ୟନ୍ତ ନାରୀ ଓ ପୁରୁଷ ଉଭୟ ଜାତି ମଧ୍ୟରେ ପ୍ରକୃତ ଐକ୍ୟ, ସାମଞ୍ଜସ୍ୟ ନ ଆସିଛି, ସେତେ ଦିନ ଯାଏ ହିନ୍ଦୁ ସମ୍ପ୍ରଦାୟର ଉନ୍ନତ କଳ୍ପନା ଅସମ୍ଭବ । ଯାହା ମାନବ ଧର୍ମ୍ମ, ଯାହା ପ୍ରତ୍ୟକ ମାନବର ଅଧିକାର, ତାହା ନାରୀଜାତିକୁ ଦିଆଯାଉ । ଅଧିକାରର ବ୍ୟବହାରରେ ଭ୍ରମ ଆଶଙ୍କା କରି ଯଦି ଅଧିକାର ଦିଆ ନ ହୁଏ, ତେବେ ପାପରେ ଭାଗୀ ହେବାକୁ ହେବ-ଜାତୀୟତା ଧ୍ୱଂସର କାରଣ ହେବାକୁ ହେବ । ଭୁଲ କରିବାର ଅଧିକାର ଯାହାର ଅଛି, ସତ୍ୟ ଅନୁଭବ କରିବାର ଅଧିକାର ମଧ୍ୟ ତାହାର ଅଛି । ଭୁଲ ପାଇଁ ସ୍ତ୍ରୀ ଓ ପୁରୁଷ ଉଭୟେ ଦଣ୍ଡନୀୟ; କେବଳ ସ୍ତ୍ରୀ ପାଇଁ କାହିଁକି ଦଣ୍ଡର ବିଧାନ ହେବ ? ପ୍ରକୃତ ମନୁଷ୍ୟତ୍ୱର ଉପଯୋଗ କଲେ ନିଜର ଭୁଲ ନିଜେ ବୁଝି ପାରିବେ । ପ୍ରକୃତ ନାରୀତ୍ୱ ନିଜ ଭିତରେ ଫୁଟି ଉଠିବ-। ନିଜେ ନିଜକୁ ଚିହ୍ନି ସାରିବା ପରେ ପରସ୍ପରର ସାହାଯ୍ୟ ଦୃଢ଼ୀଭୂତ ହେବ-ସମାଜର ମୁଖ ଉଜ୍ଜ୍ୱଳ ହେବ ।

 

ଆଜି ଆମର ଜାତି ଭିତରେ ଏହି ଲକ୍ଷଣର ଅଭାବ ପରିଲକ୍ଷିତ ହେଉଛି ବୋଲି ଆମେ ଏତେ ପତିତ ଓ ପରପଦଦଳିତ-ଲକ୍ଷ୍ୟଭ୍ରଷ୍ଟ ।

 

ଭାରତ ଲଳନାମାନଙ୍କର ପରାଧୀନତା, ଦୁରବସ୍ଥାକୁ ଲକ୍ଷକରି ସ୍ୱର୍ଗୀୟା ଆନିବେସାନ୍ତ କହିଥିଲେ ‘‘ସ୍ତ୍ରୀ ଶକ୍ତିରୂପିଣୀ, ଦୈବୀସତ୍ତାଶାଳିନୀ, ସ୍ତ୍ରୀ ବିନା ପୁରୁଷ କେବେ ପୂର୍ଣ୍ଣତା ଲାଭ କରି ପାରିବ ନାହିଁ । ସ୍ତ୍ରୀ ସହଯୋଗିନୀ, ଶାସିତା ନୁହେ; ସଙ୍ଗିନୀ, କିନ୍ତୁ ପ୍ରତିଦ୍ୱନ୍ଦିନୀ ନୁହେଁ । ପୁରୁଷ ନାରୀ ମଧ୍ୟରେ ଏହା ହିଁ ପ୍ରକୃତ ସମ୍ବନ୍ଧ । ସ୍ତ୍ରୀମାନଙ୍କର ସ୍ୱାଧୀନତାରେ ଭାରତ ସ୍ୱାଧୀନ ହେବ; କାରଣ ପୁରୁଷ ଓ ନାରୀ ଏକ ପୂର୍ଣ୍ଣାଙ୍ଗର ଦୁଇଟି ଅର୍ଦ୍ଧାଙ୍ଗ ମାତ୍ର । ଏହି ଦୁଇଟି ଅଙ୍ଗର ସମ୍ମିଳିତ ଶକ୍ତି ଦ୍ୱାରା ହିଁ ଭାରତବର୍ଷ ନିଜର ଅଧିକାର ଲାଭ କରିବ ।’’

 

ଆହୁରି ମଧ୍ୟ ଲଣ୍ଡନ ନିବାସୀ ପ୍ରସିଦ୍ଧ ସମ୍ବାଦିକ ସେଣ୍ଟ ନିହାଲ୍‌ ସିଂହ ଲେଖି ଅଛନ୍ତି– India’s degeneration, in the main, is to be attributed to our people’s inequitable treatment of our women, for a backward mother cannot : produce progressive sons and daughters. So long as the women’s lot in not made easier, so long as her life continues to be a burden, so long as she has not the time and opportunity to improve her mind and strengthen her body. India’s uplift and regeneration will remain unaccomplished; and the people will continue to remain in the downward grade.

 

ଭାରତର ପତନର ପ୍ରଧାନ କାରଣ ହେଉଛି, ସ୍ତ୍ରୀମାନଙ୍କ ପ୍ରତି ଆମ ଦେଶର ଲୋକମାନଙ୍କର ଅସମାନ ବ୍ୟବହାର । ଏହି ଅସମାନ ବ୍ୟବହାର ଯୋଗୁଁ ଆମ ଦେଶର ସ୍ତ୍ରୀମାନେ ଶିକ୍ଷିତା ହୋଇ ପାରୁ ନାହାନ୍ତି ଏବଂ ସେମାନଙ୍କର ଉନ୍ନତି ମଧ୍ୟ ହୋଇପାରୁ ନାହିଁ । ଜଣେ ଅଶିକ୍ଷିତା ମୂର୍ଖ ମାତା କେବେ ଉନ୍ନତ ଧରଣର ସନ୍ତାନ ସନ୍ତତି ଜନ୍ମ କରି ପାରେ ନା । ଅନୁନ୍ନତ, ରୁଗ୍‍ଣ, ବଳହୀନ ସନ୍ତାନ ସନ୍ତତିଙ୍କୁ ଧରି ଜାତି ବା କିପରି ଉଠିପାରେ ? ଆଜି ପର୍ଯ୍ୟନ୍ତ ନାରୀମାନଙ୍କର ଅବସ୍ଥା ଉନ୍ନତ ହୋଇ ପାରିନାହିଁ, ସେମାନଙ୍କର ଜୀବନ ଗୋଟିଏ ଭାର ହୋଇ ରହିଅଛି । ଯେତେଦିନ ପର୍ଯ୍ୟନ୍ତ ଏହାର ସୁପରିବର୍ତ୍ତନ ହୋଇନାହିଁ, ଯେତେଦିନ ପର୍ଯ୍ୟନ୍ତ ସେମାନେ ନିଜର ମାନସିକ ଓ ଶାରୀରିକ ଶକ୍ତି ଗଠନ କରିବା ପାଇଁ ସମୟ ଓ ସୁବିଧା ପାଇ ନାହାନ୍ତି, ସେତେଦିନ ପର୍ଯ୍ୟନ୍ତ ଭାରତର ପୁନରୁଥାନ ଓ ଉନ୍ନତି ଅସମ୍ଭବ ଏବଂ ସେ ବରାବର ନିମ୍ନଗତିରେ ରହିଥିବ ।

 

ଏହା ଅପେକ୍ଷା ଆଉ ଅଧିକ କଣ କୁହାଯାଇ ପାରେ ?

Image

 

ମହିଳାମାନଙ୍କର ରାଷ୍ଟ୍ରୀୟ ମତାଧିକାର

 

୧୯୩୧ ସାଲରେ ବିଲାତ ସରକାର ଭାରତର ଶାସନ ସଂସ୍କାର ସମ୍ବନ୍ଧରେ ମୋଟାମୋଟି ଭାବରେ ଘୋଷଣା କରିଅଛନ୍ତି ଯେ, ଭାରତରେ ସଂହତିତନ୍ତ୍ର (Federal Government) ଶାସନ ପ୍ରଣାଳୀ ପ୍ରଚଳିତ ହେବ ଏବଂ ପ୍ରତ୍ୟେକ ପ୍ରାଦେଶିକ ସରକାର ଯେତେଦୂର ସମ୍ଭବ ସ୍ୱତନ୍ତ୍ର ହେବ । ଏହି ଶାସନ ସଂସ୍କାରର ଆକାର ପ୍ରକାର କଣ ହେବ, ଆଜି ପର୍ଯ୍ୟନ୍ତ ଠିକ୍‌ ହୋଇ ଜଣାପଡ଼ି ନ ଥିଲେ ସୁଦ୍ଧା ଯେତେଦୂର ଜଣା ଯାଉଛି, ବିଲାତ ସରକାର ଭାରତକୁ ପ୍ରକୃତ ସ୍ୱାୟତ୍ତ ଶାସନ ଦେବାକୁ ଚାହାନ୍ତି ନାହିଁ । ବିଲାତ ସରକାରଙ୍କର କାର୍ଯ୍ୟକଳାପରୁ ଏହା ଉତ୍ତମରୂପେ ଅନୁମାନ କରାଯାଇ ପାରୁଛି । ଭାରତ ଅଚିରେ ସ୍ୱାୟତ୍ତ ଶାସନ ପାଇବାର ଯୋଗ୍ୟ ଏଥିରେ କୌଣସି ସନ୍ଦେହ ନ ଥିଲେ ସୁଦ୍ଧା ଭାରତର ଯୋଗ୍ୟତା ଓ ନ୍ୟାଯ୍ୟ ଦାବୀ ପ୍ରତି ବିଲାତ ସରକାର ଦୃଷ୍ଟି ଦେବାକୁ ଆଦୌ ରାଜି ନୁହନ୍ତି । ଗୋଟିଏ ଦୁଇଟି ଦିଗରୁ ନୁହେ, ଯେ କୌଣସି ଦିଗରୁ ଦେଖିଲେ ସୁଦ୍ଧା ଏହା ସ୍ପଷ୍ଟଭାବରେ ଜଣା ପଡ଼ିବ ।

 

ଯେ କୌଣସି ପ୍ରକାରର ସ୍ୱାୟତ୍ତ ଶାସନ ହେଉ, ତାର ମୂଳ ହେଉଛି ଲୋକଙ୍କର ଭୋଟ ଅଧିକାର । ସ୍ୱାୟତ୍ତ ଶାସନର ଅର୍ଥ ହେଉଛି, ଜନସାଧାରଣଙ୍କର ସ୍ୱାୟତ୍ତ ଶାସନ । ଏହି ଶାସନ ଲୋକଙ୍କ ପାଇଁ ଲୋକଙ୍କଦ୍ୱାରା ପରିଚାଳିତ ହୁଏ । ଏହି ଶାସନରେ ଦେଶର ଜନସାଧାରଣ ଦେଶର ଭାଗ୍ୟବିଧାତା, ସେମାନଙ୍କର ପ୍ରତିନିଧିବର୍ଗ ଶାସନ ପରିଚାଳନା ପାଇଁ ଦାୟୀ । ପ୍ରତିନିଧିମାନଙ୍କ ଉପରେ ଦେଶର ଭଲମନ୍ଦ ସବୁ ନିର୍ଭର କରେ । ଜନସାଧାରଣ ଯଦି ଭଲ ଲୋକଙ୍କୁ ନିର୍ବାଚିତ କରି ପଠାନ୍ତି, ତେବେ ଦେଶର ମଙ୍ଗଳ; ନତୁବା ଦେଶର ଯେ କି ଘୋର କ୍ଷତି ହେବ ତାହା କୁହାଯାଇ ପାରିବ ନାହିଁ । ଏହି ପ୍ରତିନିଧି ନିର୍ବାଚନ ସମ୍ବନ୍ଧରେ କ୍ଷମତାର ବ୍ୟବହାର ଯେ କେତେଦୂର ଦାୟିତ୍ୱପୂର୍ଣ୍ଣ, ତାହା ସହଜେ ଅନୁମେୟ ।

 

ପ୍ରତ୍ୟେକ ସ୍ୱାୟତ୍ତ ଶାସନରେ ଦେଶର ପ୍ରତ୍ୟେକ ଜନସାଧାରଣଙ୍କର ଅଧିକାର ଅଛି । କି ସ୍ତ୍ରୀ, କି ପୁରୁଷ, ସମସ୍ତଙ୍କର ଦାୟିତ୍ୱ ସମାନ । ପୃଥିବୀର ସବୁ ଦେଶରେ, ଯେଉଁଠାରେ ପ୍ରକୃତ ସ୍ୱାୟତ୍ତ ଶାସନ ପ୍ରଚଳିତ ଅଛି, ଶାସନ ପ୍ରଣାଳୀରେ ସ୍ତ୍ରୀ ଓ ପୁରୁଷଙ୍କର ସମାନ ଅଧିକାର ଅଛି । କେବଳ ସ୍ୱାୟତ୍ତ ଶାସନ କାହିଁକି, ଯେ କୌଣସି ଶାସନ ପ୍ରଣାଳୀ ହେଉ, ଯେଉଁଠାରେ ଜନସାଧାରଣଙ୍କର କିଛି ନା କିଛି ଅଧିକାର ଅଛି, ସେହିଠାରେ ଦେଶର ପ୍ରତ୍ୟେକ ଜନସାଧାରଣଙ୍କର ଅଧିକାର ରହିଛି ।

 

ଯେତେଦିନ ପର୍ଯ୍ୟନ୍ତ ସ୍ତ୍ରୀମାନଙ୍କର ଆର୍ଥିକ ଭାଗ୍ୟ ପୁରୁଷମାନଙ୍କ ଦ୍ୱାରା ପରିଚାଳିତ ହେଉଥିଲା, ସେତେଦିନ ପର୍ଯ୍ୟନ୍ତ ସ୍ତ୍ରୀମାନେ କୌଣସି କ୍ଷେତ୍ରରେ ସ୍ୱରାଜ୍ୟ ପାଇ ପାରୁ ନ ଥିଲେ । କିନ୍ତୁ ବର୍ତ୍ତମାନ ଦେଖା ଯାଉଛି, କ୍ରମେ କ୍ରମେ ନାରୀମାନଙ୍କର ଏହି ‘‘ପରରାଜ’’ ଲୋପ ପାଇବାକୁ ବସିଲାଣି । ଏହି ପରରାଜ ଲୋପ ପାଇବାକୁ ବସିଲାଣି ବୋଲି ପ୍ରାୟ ସବୁ ସାଧାରଣ ପ୍ରତିଷ୍ଠାନମାନଙ୍କରେ ଯେଉଁଠାରେ କି ଟଙ୍କା କଉଡ଼ିର ଦିଆ ନିଆ ଚାଲେ, ବ୍ୟବସାୟ ବାଣିଜ୍ୟର ଗତିବିଧି ନିୟନ୍ତ୍ରିତ ହୁଏ, ଏହିପରି ସ୍ଥାନମାନଙ୍କର ଆର୍ଥିକ ଅବସ୍ଥା ଉପରେ ନାରୀମାନଙ୍କର ମଧ୍ୟ ଅଧିକାର ରହିଛି । ସେହି ହେତୁ ଆଜି ଅନେକ ଦେଶରେ ନାରୀମାନେ ମ୍ୟୁନିସିପାଲିଟି, ପାର୍ଲାମେଣ୍ଟ ପ୍ରଭୃତି ପ୍ରତିଷ୍ଠାନମାନଙ୍କରେ ଭୋଟ ଦେବାର ଅଧିକାର ପାଇଅଛନ୍ତି ।

 

ଜେକୋସ୍ଳୋଭେକିୟା, ଡେନମାର୍କ, ଫିନ୍‌ଲାଣ୍ଡ, ଜର୍ମାନୀ, ଆଇସ୍‌ଲ୍ୟାଣ୍ଡ, ଆଇରିସ୍‌ ଫ୍ରିଷ୍ଟେଟ୍‌, କେନିୟା, ଲିଟୋନିୟା, ଲିଥୁଏନିଆ, ଲୁକସେମ୍‌ବର୍ଗ, ନେଦରଲାଣ୍ଡ, ନିଉଜିଲାଣ୍ଡ, ନରଓଏ, ପୋଲାଣ୍ଡ, ରୋଡ଼େସିୟା, ରୁଷିୟା, ସୁଇଡ଼େନ୍, ଯୁକ୍ତରାଷ୍ଟ୍ର ପ୍ରଭୃତି ଦେଶମାନଙ୍କରେ ନାରୀମାନଙ୍କର ସବୁ ସାଧାରଣ ପ୍ରତିଷ୍ଠାନରେ ପୁରୁଷମାନଙ୍କ ପରି ଭୋଟ ଅଧିକାର ହୋଇଅଛି ।

 

ଅଷ୍ଟ୍ରେଲିୟା ଓ ଅଷ୍ଟ୍ରିୟାରେ ସ୍ତ୍ରୀମାନେ ମ୍ୟୁନିସିପାଲିଟି ଓ ପାର୍ଲାମେଣ୍ଟ ପ୍ରଭୃତିରେ ଭୋଟ ଦେବା ଓ ନିର୍ବାଚିତ ହେବାର ଅଧିକାର ମଧ୍ୟ ପାଇଛନ୍ତି ।

 

କାନାଡ଼ାରେ ସ୍ତ୍ରୀମାନେ ଫେଡ଼େରାଲ ଓ ପ୍ରାଦେଶିକ ସାଧାରଣ ପ୍ରତିଷ୍ଠାନମାନଙ୍କରେ ଭୋଟ ଦେଇ ପାରନ୍ତି ଓ ନିର୍ବାଚିତ ମଧ୍ୟ ହୋଇପାରନ୍ତି; କିନ୍ତୁ ଫେଡ଼େରାଲ ସିନେଟକୁ ନିର୍ବାଚିତ ହୋଇ ପାରନ୍ତି ନାହିଁ ।

 

କାନାଡ଼ାର କ୍ୟୁବେକ୍‌ ଅଞ୍ଚଳର ସ୍ତ୍ରୀମାନଙ୍କର ଭୋଟ ଦେବାର କି ନିର୍ବାଚିତ ହେବାର ଅଧିକାର ମଧ୍ୟ ନାହିଁ । ବେଲଜିୟମରେ କେବଳ ମ୍ୟୁନିସିପାଲିଟିରେ ସ୍ତ୍ରୀମାନେ ଭୋଟ ଦେଇ ପାରିବେ ଓ ନିର୍ବାଚିତ ହୋଇ ପାରିବେ । ପାର୍ଲାମେଣ୍ଟ ଓ ପ୍ରାଦେଶିକ ବ୍ୟବସ୍ଥାପକ ସଭାରେ କେତେକ ଜଣ ସ୍ତ୍ରୀଲୋକଙ୍କର ଭୋଟ ଦେବା ଓ ନିର୍ବାଚିତ ହେବାର ଅଧିକାର ଅଛି; କିନ୍ତୁ ସେମାନେ କେବଳ ବକ୍ତୃତା ଦେଇ ପାରିବେ, ଭୋଟ ଦେଇ ପାରିବେ ନାହିଁ ।

 

ବିଲାତରେ ପାର୍ଲାମେଣ୍ଟରେ ଭୋଟ ଦେବା ଓ ନିର୍ବାଚିତ ହେବାର ଅଧିକାର ସ୍ତ୍ରୀମାନଙ୍କର ଅଛି । ସ୍ତ୍ରୀମାନଙ୍କ ପକ୍ଷରେ ନିୟମ କରାଯାଇଛି ଯେ, ୩୦ ବର୍ଷରୁ ଅଳ୍ପ ବୟସ୍କା କେହି ଭୋଟ ଦେଇ ପାରିବେ ନାହିଁ । କିନ୍ତୁ ପୁରୁଷମାନଙ୍କ ପକ୍ଷରେ କେବଳ ୨୧ ବର୍ଷ ଧାର୍ଯ୍ୟ କରାଯାଇଛି । ମ୍ୟୁନିସିପାଲିଟିରେ ନାରୀ ପୁରୁଷ ଦିହିଙ୍କର ସମାନ ଅଧିକାର ଅଛି । ଅନେକ ମ୍ୟୁନିସିପାଲିଟିରେ ନାରୀମାନେ ମେୟର ପର୍ଯ୍ୟନ୍ତ ହୋଇ ପାରିଛନ୍ତି ।

 

ହଙ୍ଗେରୀରେ ୩୦ ବର୍ଷାଧିକ ମହିଳାଗଣ ପାର୍ଲାମେଣ୍ଟ ଓ ମ୍ୟୁନିସିପାଲିଟିରେ ଭୋଟ ଅଧିକାର ପାଇଛନ୍ତି; କିନ୍ତୁ ସେମାନେ ନିର୍ବାଚନରେ ପ୍ରତିଯୋଗିତା କରି ପାରନ୍ତି ନାହିଁ । ଭୋଟ ଦେବାପାଇଁ ପୁରୁଷଙ୍କ ବୟସ ରଖାଯାଇଛି ୨୧ ବର୍ଷ ।

 

ଗ୍ରୀସରେ ନାରୀଙ୍କ ଅବସ୍ଥା ହଙ୍ଗେରିଆନ୍‌ ନାରୀଙ୍କ ପରି-ଜାମେ-କାରେ ନାରୀ ପୁରୁଷଙ୍କ ଭୋଟ ଅଧିକାର ସମାନ; କିନ୍ତୁ ନାରୀ ନିର୍ବାଚିତ ହୋଇ ପାରନ୍ତି ନାହିଁ ।

 

ନିଉଫାଉଣ୍ଡଲ୍ୟାଣ୍ଡରେ ମ୍ୟୁନିସିପାଲିଟିରେ କେବଳ ଭୋଟ ଦେବା ଅଧିକାର ମହିଳାମାନଙ୍କର ଅଛି । ସ୍ତ୍ରୀଙ୍କ ବୟସ ୨୫ ଓ ପୁରୁଷଙ୍କ ବୟସ ୨୧ ହେବା ଦରକାର ବୋଲି ନିୟମ ହୋଇଛି । ଦକ୍ଷିଣ ଆଫ୍ରିକାରେ ନାରୀ ପୁରୁଷର ମ୍ୟୁନିସିପାଲିଟିରେ ଭୋଟ ଦେବା ଅଧିକାର ସମାନ । ସ୍ପେନରେ ନାରୀମାନଙ୍କର କେବଳ କେତେଟା ନିର୍ଦ୍ଦିଷ୍ଟ ଅଧିକାର ଅଛି ।

 

କିନ୍ତୁ ଦୁଃଖର କଥା, ଭାରତବର୍ଷରେ ଆଜି ପର୍ଯ୍ୟନ୍ତ ନାରୀ ସେହି ଅଧିକାର ପାଇ ନାହାନ୍ତି । ଯେ କୌଣସି ଶାସନ ପ୍ରଣାଳୀ ହେଉ, ତହିଁରେ ନାରୀ ଓ ପୁରୁଷ ଉଭୟଙ୍କର ଯେ ସମାନ ଅଧିକାର ରଖିବାକୁ ହେବ, ଏଥିରେ ସନ୍ଦେହ ନାହିଁ ।

 

ବର୍ତ୍ତମାନ ଭାରତରେ ଯେଉଁ ଶାସନ ପ୍ରଣାଳୀ ଚଳୁଛି, ସେଥିରେ ଜନସାଧାରଣଙ୍କର ବେଶି କିଛି କ୍ଷମତା ନାହିଁ । ତେବେ ଯେଉଁ ଟିକକ ଅଛି, ସେଥିରେ କେବଳ ପୁରୁଷଙ୍କ ଛଡ଼ା ନାରୀଙ୍କର କୌଣସି ଅଧିକାର ନାହି କହିଲେ ଚଳେ । ସମଗ୍ର ନାରୀଙ୍କର ସଂଖ୍ୟାନୁପାତରେ ଯେଉଁମାନେ ଭୋଟ ଅଧିକାର ପାଇଛନ୍ତି, ସେମାନଙ୍କର ସଂଖ୍ୟା ନଗଣ୍ୟ । ବର୍ତ୍ତମାନ ସମ୍ପତ୍ତି ଓ କର ଉପରେ ଭୋଟ ଅଧିକାର ନିର୍ଭର କରୁଥିବା ହେତୁ ଯେତେ ପୁରୁଷ ଭୋଟ ଅଧିକାର ପାଉଛନ୍ତି, ସେତେ ସଂଖ୍ୟାରେ ନାରୀମାନେ ପାଉ ନାହାନ୍ତି । ପ୍ରାଦେଶିକ ଭୋଟଦାତାଙ୍କର ତାଲିକାରୁ ଜଣା ଯାଉଛି, ସମଗ୍ର ଭାରତବର୍ଷରେ ଯେଉଁଠାରେ ପ୍ରାୟ ୬୫ ଲକ୍ଷ ପୁରୁଷ ଭୋଟ ଦେବାର ଅଧିକାର ପାଇଛନ୍ତି, ସେଠାରେ ନାରୀଙ୍କ ସଂଖ୍ୟା ହେଉଛି ମୋଟେ ୨୪ ଲକ୍ଷ । ଏଥିର ଅବସ୍ଥା କଣ, ସହଜରେ ଜଣା ପଡ଼ୁଛି । ପୁରୁଷ ଭୋଟଦାତାଙ୍କ ସଂଖ୍ୟାର ୧/୩୦ ଭାଗ ସ୍ତ୍ରୀମାନେ ମଧ୍ୟ ଭୋଟ ଅଧିକାର ପାଇ ନାହାନ୍ତି । ଭିନ୍ନ ଭିନ୍ନ ପ୍ରଦେଶରେ ପୁରୁଷ ଭୋଟଦାତା ଓ ସ୍ତ୍ରୀ ଭୋଟଦାତ୍ରୀମାନଙ୍କର ସଂଖ୍ୟାନୁପାତ ନିମ୍ନରେ ଦିଆଗଲା–

 

ପ୍ରଦେଶ

ସ୍ତ୍ରୀ

ପୁରୁଷ

ମାନ୍ଦ୍ରାଜ

୧୦

ବୋମ୍ବେ

୧୯

ବଙ୍ଗ

୨୬

ଯୁକ୍ତ ପ୍ରଦେଶ

୨୯

ପଞ୍ଚାବ

୨୯

ବିହାର ଓଡ଼ିଶା

୬୨

ମଧ୍ୟ ପ୍ରଦେଶ

୨୫

ଆସାମ

୧୧୪

 

ସମ୍ପତ୍ତି ଅଧିକାର ଭୋଟର ଯୋଗ୍ୟତା ଥିବା ହେତୁ ସ୍ତ୍ରୀମାନେ ଏହି ଯୋଗ୍ୟତା ପାଇ ପାରୁନାହାନ୍ତି । ଭାରତରେ ନିଜର ଅଧିକାର ବଳରେ ସମ୍ପତ୍ତିର ଅଧିକାରିଣୀ ହୋଇଥିବା ସ୍ତ୍ରୀମାନଙ୍କର ସଂଖ୍ୟା ଖୁବ୍‌ କମ୍ । ଏହି ହେତୁ ପୁରୁଷ ଭୋଟର ଓ ସ୍ତ୍ରୀ ଭୋଟର ସଂଖ୍ୟା ମଧ୍ୟରେ ଏତେ ତଫାତ୍‌ । ଏହି ତଫାତ୍‌କୁ ଲକ୍ଷ୍ୟ କରି ଗୋଲଟେବୁଲ ସମ୍ମିଳନୀର ଫ୍ରାଞ୍ଚାଇଜ୍‌ ସବ୍‌କମିଟୀ କହିଛନ୍ତି, ‘‘ଯେଉଁଠାରେ ପୁରୁଷ ଭୋଟର ଓ ନାରୀ ଭୋଟର ସଂଖ୍ୟା ମଧ୍ୟରେ ଏତେ ତଫାତ୍‌ ରହୁଛି, ସେଠାରେ ସେହି ଭୋଟ ଅଧିକାର ପ୍ରଣାଳୀ ସନ୍ତୋଷଜନକ ହୋଇଛି ବୋଲି କୁହାଯାଇ ନ ପାରେ ଏବଂ ଏହିପରି ଭୋଟ ଅଧିକାର ପ୍ରଣାଳୀ ଉତ୍ତମ ଶାସନ ଗଠିତ କରିପାରିବ ନାହିଁ ।’’

 

ଏହି ତଫାତ୍‌ଟାକୁ ସମସ୍ତେ ବୁଝି ପାରୁଛନ୍ତି ସତ୍ୟ, ସାଇମନ୍‌ କମିଶନଠାରୁ ଆରମ୍ଭ କରି ଶ୍ୱେତପତ୍ର ପର୍ଯ୍ୟନ୍ତ ସବୁଠାରେ ଏହାର ଆଲୋଚନା ହୋଇଛି ସତ୍ୟ; କିନ୍ତୁ ସମାଧାନ ଦିଗରେ ଯେଉଁସବୁ କାର୍ଯ୍ୟ ହୋଇଛି, ତାହା ସନ୍ତୋଷଜନକ ହୋଇପାରି ନାହିଁ ।

 

ସାଇମନ୍‌ କମିଶନ ସୁପାରିଶ୍‌ କରିଛନ୍ତି ଯେ, ବର୍ତ୍ତମାନ ସ୍ତ୍ରୀମାନଙ୍କର ଭୋଟ ଦେବା ପାଇଁ ଯେଉଁ ଯୋଗ୍ୟତା ଅଛି, ତାହା ନିମ୍ନଲିଖିତ ଦୁଇଟି ଯୋଗ୍ୟତା ରହୁ –

 

୧.

ଯେଉଁ ପୁରୁଷର ସମ୍ପତ୍ତି ଯୋଗ୍ୟତା ଅଛି, ତାର ସ୍ତ୍ରୀକୁ ଯଦି ୨୫ ବର୍ଷରୁ ବେଶି ବୟସ ହୋଇଥିବ, ତେବେ ସେ ଭୋଟ ଦେଇ ପାରିବ ।

୨.

ଯେଉଁ ପୁରୁଷର ମୃତ୍ୟୁ ସମୟରେ ସମ୍ପତ୍ତି ଯୋଗ୍ୟତା ଥିବ, ମୃତ୍ୟୁ ପରେ ତାର ବିଧବା ପତ୍ନୀକୁ ୨୫ ବର୍ଷରୁ ଉର୍ଦ୍ଧ୍ୱ ବୟସ ହୋଇଥିଲେ ସେ ଭୋଟ ଅଧିକାର ପାଇବ । ଏହା ଛଡ଼ା ୨୧ ବର୍ଷ ବୟସରୁ ଉର୍ଦ୍ଧ୍ୱ ସ୍ତ୍ରୀ ଓ ପୁରୁଷଙ୍କ ର ଯଦି ଶିକ୍ଷା ଯୋଗ୍ୟତା ଥାଏ, ତେବେ ସେମାନେ ଭୋଟ ଦେବାର ଅଧିକାର ପାଇପାରିବେ ।

 

ଫ୍ରାଞ୍ଚାଇଜ୍‌ ସବ୍‌ କମିଟି ସାଇମନ୍‌ ରିପୋଟ୍‌ ଉପରେ ଅନେକ ଭାବରେ ନିର୍ଭର କରିଅଛି-। ସେମାନେ ନିମ୍ନଲିଖିତ ସୁପାରିଶ୍‌ କରିଅଛନ୍ତି–

 

୧.

ଯେଉଁ ସ୍ତ୍ରୀମାନଙ୍କର ସ୍ୱାଧୀନ ଭାବରେ ସମ୍ପତ୍ତି ଅଛି ।

୨.

ଶିକ୍ଷା ଯୋଗ୍ୟତା ଯାହାଙ୍କର ଅଛି ।

୩.

ସ୍ୱାକ୍ଷର ଯୋଗ୍ୟତା ବା ଅଳ୍ପ ଲେଖାପଢ଼ା ଅଛି ।

୪.

ଯେଉଁ ପୁରୁଷର ସମ୍ପତ୍ତି ଯୋଗ୍ୟତା ଅଛି, ତାର ସ୍ତ୍ରୀ ଭୋଟ ଅଧିକାର ପାଇବ, କିନ୍ତୁ ସ୍ତ୍ରୀର ବୟସ ୨୧ ବର୍ଷରୁ ଅଧିକ ହୋଇଥିବ ।

 

ଏହି ଯେ ସମ୍ପତ୍ତି ଯୋଗ୍ୟତା, ତାହାଦ୍ୱାରା ଭିନ୍ନ ଭିନ୍ନ ପ୍ରଦେଶରେ ପୁରୁଷ ଓ ସ୍ତ୍ରୀ ଭୋଟର ମଧ୍ୟରେ ତୁଳନା ନିମ୍ନରେ ଦିଆଗଲା :–

 

ପ୍ରଦେଶ

ସମ୍ପତ୍ତି ଯୋଗ୍ୟତା ଥିବା ନାରୀ ଭୋଟର ସଂଖ୍ୟା

ପୁରୁଷ ଭୋଟର

ସଂଖ୍ୟା

ଅନୁପାତ

ପୁରୁଷ

ସ୍ତ୍ରୀ

ମାନ୍ଦ୍ରାଜ

୭୧୮୦୦୦

୫୭୪୪୦୦୦

ବୋମ୍ବେ

୫୦୦୦୦

୨୯୭୬୦୦୦

୫୯

ବଙ୍ଗ

୫୦୦୦୦୦

୬୫୦୦୦୦୦

୧୩

ଯୁକ୍ତ ପ୍ରଦେଶ

୪୧୪୦୦୦୦

୬୦୦୦୦୦୦

୧୪

ପଞ୍ଚାବ

୧୦୧୦୦୦

୨୩୫୦୦୦୦

୨୩

ବିହାର ଓଡ଼ିଶା

୪୬୨୫୦

୩୧୫୦୦୦୦

୬୮

ମଧ୍ୟ ପ୍ରଦେଶ

୭୦୦୦୦

୧୬୬୦୦୦୦

୨୪

ଆସାମ

୩୦୦୦୦

୮୨୦୦୦୦

୨୭

 

ଶିକ୍ଷା ଯୋଗ୍ୟତା ଫଳରେ କେତେଜଣ ମହିଳା ଭୋଟ୍‌ ଅଧିକାର ପାଇବେ, ତାର ଠିକ୍‌ ବିବରଣ ପାଇବା ସହଜ ନୁହେଁ । ତେବେ ଏହା ଦ୍ୱାରା ଯେ ବେଶି ସ୍ତ୍ରୀ ଅଧିକାର ପାଇବେ, ଏହା ଆଶା କରାଯାଇ ପାରେନାହିଁ ।

 

ସମୂହ ଭାବରେ ଦେଖିଲେ ଫ୍ରାଞ୍ଚାଇଜ୍‌ କମିଟିର ସୁପାରିସ୍‌ ଅନୁସାରେ ମହିଳା ଭୋଟରମାନଙ୍କର ସଂଖ୍ୟା ନିମ୍ନଲିଖିତ ଭାବରେ ରହିବ–

 

ପ୍ରଦେଶ

ସ୍ୱତନ୍ତ୍ର ସମ୍ପତ୍ତି ଯୋଗ୍ୟତା

ସ୍ୱାକ୍ଷର ଯୋଗ୍ୟତା

ସ୍ୱାମୀର ସମ୍ପତ୍ତି ଯୋଗ୍ୟତା

ମୋଟ ନାରୀ

ଭୋଟର

ଅନୁପାତ

ପୁରୁଷ

ନାରୀ

ମାନ୍ଦ୍ରାଜ

୭୧୮୦୦୦

୩୪୫୦୦୦

୭୦୦୦୦୦

୧୫୦୦୦୦୦

ବୋମ୍ବେ

୫୦୦୦୦

୧୬୩୦୦୦

୫୯୨୦୦୦

୭୫୦୦୦୦

ବଙ୍ଗ

୫୦୦୦୦୦

୩୭୭୦୦୦

୮୦୦୦୦୦

୧୫୦୦୦୦୦

ଯୁକ୍ତ-

ପ୍ରଦେଶ

୫୧୪୦୦୦

୨୨୮୦୦୦

୧୧୦୦୦୦୦

୧୫୦୦୦୦୦

ପଞ୍ଚାବ

୧୦୧୦୦୦

୮୫୦୦୦

୩୭୬୦୦୦

୪୫୦୦୦

ବିହାର-

ଓଡ଼ିଶା

୪୬୦୦୦

୭୭୦୦୦

୨୮୦୦୦୦୦

୩୫୦୦୦୦

ମଧ୍ୟ-

ପ୍ରଦେଶ

୭୦୦୦୦

୪୦୦୦୦

୨୬୭୦୦୦

୩୫୦୦୦୦

ଆସାମ

୩୦୦୦୦

୪୦୦୦୦

୧୯୨୦୦୦

୨୨୦୦୦୦

 

 

 

 

 

 

 

୧୯୩୧ ଡିସେମ୍ବରରେ ପ୍ରକାଶିତ ଶ୍ୱେତପତ୍ରରେ ଫ୍ରାଞ୍ଚାଇଜ କମିଟିର ସୁପାରିସ୍‌କୁ ଏକପ୍ରକାର ଗ୍ରହଣ କରାଯାଇଛି ।

 

ସରକାରଙ୍କ ସବୁ ରିପୋର୍ଟରେ ଘୋଷଣା କରାଯାଇଛି ଯେ, Adult Franchise (ପ୍ରାପ୍ତ ବୟସ୍କଙ୍କ ଭୋଟ ଅଧିକାର) ଭାରତର ଭୋଟ ଅଧିକାରର ଲକ୍ଷ୍ୟ । କିନ୍ତୁ ଦେଶର ସାଧାରଣ ପରିସ୍ଥିତି ପ୍ରତି ଦୃଷ୍ଟି ଦେଲେ ବର୍ତ୍ତମାନ ଅବସ୍ଥାରେ Adult Franchise କାର୍ଯ୍ୟକାରୀ ହୋଇପାରିବା ଅସମ୍ଭବ ବୋଲି ସରକାର ମତ ବ୍ୟକ୍ତ କରିଛନ୍ତି । ସେହିହେତୁ ଏକାବେଳକେ Adult Franchise ଉପରେ କାର୍ଯ୍ୟ ଆରମ୍ଭ ନ କରି କ୍ରମଶଃ ଅଧିକାର ବୃଦ୍ଧି କରିବା ଉଦ୍ଦେଶ୍ୟରେ ଯେ ସବୁ ଉପାୟ ଉଦ୍‌ଭାବନ କରାଯାଇଛି, ତାହା ଆଦୌ ସନ୍ତୋଷଜନକ ନୁହେଁ ।

 

ଶ୍ୱେତପତ୍ରରେ ମହିଳାମାନଙ୍କର ଭୋଟ ଅଧିକାର ସମ୍ବନ୍ଧରେ ଯେଉଁ ସୁପାରିସ ଗୁଡ଼ିକ ହୋଇଛି, ସେଥିରେ କୌଣସି ଭାରତୀୟ ମହିଳା ଏକମତ ହୋଇ ପାରିବେ ବୋଲି ବିଶ୍ୱାସ ହୋଇ ପାରୁ ନାହିଁ । ଫ୍ରାଞ୍ଚାଇଜ କମିଟି ଆଗରେ ମହିଳାମାନଙ୍କ ତରଫରୁ ଯେଉଁ ସବୁ ସାକ୍ଷ୍ୟ ଦିଆଯାଇଛି, ସେଥିରେ ସ୍ପଷ୍ଟ ଭାବରେ ବ୍ୟକ୍ତ କରାଯାଇଛି ଯେ, Adult Franchise ହିଁ ନାରୀମାନଙ୍କର ଭୋଟ ଅଧିକାରର ଲକ୍ଷ୍ୟ ଏବଂ ସେ ପ୍ରଣାଳୀରେ ଶାସନ ପରିଚାଳନା ନ ହେଲେ ସ୍ୱାୟତ୍ତଶାସନର ମୂଲ୍ୟ କିଛି ନୁହେଁ ।

 

ପୁରୁଷମାନେ ଯେଉଁ ଯୋଗ୍ୟତା ବଳରେ ଭୋଟ ଅଧିକାର ପାଇବେ, ନାରୀମାନଙ୍କର ମଧ୍ୟ ସେହି ଯୋଗ୍ୟତା ବଳରେ ଅଧିକାର ପାଇବା ଉଚିତ । ସ୍ୱାୟତ୍ତଶାସନରେ କି ପୁରୁଷ କି ସ୍ତ୍ରୀ, କି ଧନୀ, କି ଦରିଦ୍ର ସମସ୍ତଙ୍କର ଅଧିକାର ଅଛି । ଏପରି ଅବସ୍ଥାରେ ସ୍ତ୍ରୀମାନଙ୍କ ପାଇଁ ସ୍ୱତନ୍ତ୍ର ଅସ୍ୱାଧୀନ ବ୍ୟବସ୍ଥା ହେବା ବଡ଼ ପରିତାପର କଥା ।

 

Adult Franchise ନ ହେବାଯାଏ ସ୍ତ୍ରୀ ଓ ପୁରୁଷମାନଙ୍କର ସମାନ ଅଧିକାର ହୋଇ ପାରିବ ନାହିଁ ।

 

ସ୍ୱାମୀର ସମ୍ପତ୍ତି ଯୋଗ୍ୟତା ଉପରେ ସ୍ତ୍ରୀ ଭୋଟ ଅଧିକାର ପାଇପାରିବ ବୋଲି ଶ୍ୱେତପତ୍ରରେ ଯେଉଁ ବ୍ୟବସ୍ଥା ହୋଇଛି, ତାକୁ କୌଣସି ମନସ୍ୱିନୀ ନାରୀ ସମର୍ଥନ କରିପାରିବେ ନାହିଁ । ବର୍ତ୍ତମାନ ସାରା ସଂସାରରେ ଆର୍ଥିକ ସ୍ୱାଧୀନତା ପାଇଁ ଭୀଷଣ ଆନ୍ଦୋଳନ ଚାଲିଥିବା ସମୟରେ ଏପରି ପ୍ରସ୍ତାବ ଯେ ନିତାନ୍ତ ଲଜ୍ଜାଜନକ, ଏଥିରେ କଣ ଆଉ ସନ୍ଦେହ ଅଛି ?

 

ବେଗମ ସାହାନଓଆଜ, ଶ୍ରୀମତି ସରୋଜିନୀ ନାଇଡ଼ୁ ପ୍ରଭୃତି ମହିଳା ପ୍ରତିନିଧିମାନେ ଗୋଲଟେବୁଲ ସମ୍ମିଳନୀରେ ଏହି କଥା ସ୍ପଷ୍ଟ ଭାବରେ କହି ଯାଇଛନ୍ତି; ବିଶେଷତଃ ଏହିପରି ବ୍ୟବସ୍ଥା ଦ୍ୱାରା ଚିରଦିନ ପାଇଁ ପୁରୁଷର ସୌଜନ୍ୟ ଉପରେ ନାରୀକୁ ନିର୍ଭର କରି ରହିଥିବାକୁ ହେବ । ସ୍ୱାଧୀନତା ଯେ କେତେଦୂର ଏଥିରେ ଖର୍ବ ହେଉଛି, ତାହା ପ୍ରତ୍ୟେକ ଭାବୁକ ବୁଝି ପାରୁଥିବେ ।

 

ଏହି ପ୍ରସ୍ତାବର ଆଉ ଗୋଟିଏ ତ୍ରୁଟି ହେଉଛି ଯେ, ଏହା ଦ୍ୱାରା କେବଳ ବିବାହିତା ନାରୀମାନେ ଭୋଟ ଦେବାର ଅଧିକାର ପାଇବେ, କିନ୍ତୁ ଯେଉଁମାନେ ଅବିବାହିତା ସେମାନଙ୍କ ପାଇଁ ଏଥିରେ କିଛି ବ୍ୟବସ୍ଥା ନାହିଁ । କେବଳ ବିବାହିତା ହେଲେ ଭୋଟ ଅଧିକାର ପାଇ ପାରିବ, ନ ହେଲେ ନାହିଁ , ଏହି ଯେ ବ୍ୟବସ୍ଥା ତାହା କେବେ ଶୋଭନୀୟ ହୋଇ ପାରିବ କି ?

 

ଶ୍ୱେତପତ୍ରରେ ଆଉ ଏକ ବ୍ୟବସ୍ଥା ଅଛି ଯେ, ଯେଉଁ ନାରୀମାନଙ୍କର ନିଜସ୍ୱ ସମ୍ପତ୍ତି ଅଛି, ସେମାନେ ଭୋଟ ଅଧିକାର ପାଇବେ । କିନ୍ତୁ ଭାରତରେ ନାରୀଙ୍କର ଏହି ସମ୍ପତ୍ତି ଅଧିକାର ନଗଣ୍ୟ । ଏହି ଯୋଗ୍ୟତା ବଳରେ ଯେଉଁ ନାରୀମାନେ ଭୋଟ ଅଧିକାର ପାଇବେ, ସେମାନଙ୍କର ସଂଖ୍ୟା ଯେ ଖୁବ୍‌ କମ୍‌ ହେବ, ଏଥିରେ ସନ୍ଦେହ ନାହିଁ ।

ଶିକ୍ଷା ଓ ସାକ୍ଷରତା ମଧ୍ୟ ଯୋଗ୍ୟତା ତଳେ ଧରା ଯାଇଛି; କିନ୍ତୁ ବର୍ତ୍ତମାନ ଆମ ଦେଶରେ ନାରୀ ଶିକ୍ଷାର ଅବସ୍ଥା ଯେପରି, ତହିଁରେ ଏହି ଯୋଗ୍ୟତା ବଳରେ ଅଧିକସଂଖ୍ୟକ ଭୋଟର ବାହାରିବେ ବୋଲି କିଏ ବିଶ୍ୱାସ କରିବ ? ସରକାର ଓ ଜନସାଧାରଣ ନାରୀ ଶିକ୍ଷା ପ୍ରତି ଉଦାସୀନ ଥିବା ସମୟରେ ଅଧିକସଂଖ୍ୟକ ଶିକ୍ଷିତା କିମ୍ବା ସାକ୍ଷରା ମହିଳା ବା କିପରି କେଉଁଠୁ ବାହାରିବେ ?

 

ସ୍ତ୍ରୀମାନଙ୍କର ଭୋଟ ଅଧିକାର ସମ୍ବନ୍ଧରେ ଶ୍ୱେତପତ୍ରରେ ଯେଉଁ ସବୁ ସୁପାରିସ୍‌ ହୋଇଛି, ସେଗୁଡ଼ିକୁ ଯେ କୌଣସି ଦିଗରୁ ଦେଖିଲେହେଁ ସନ୍ତୋଷଜନକ ବୋଲି କୁହାଯାଇ ନ ପାରେ । ଏହି ସୁପାରିସ୍‌ ବଳରେ ଉପଯୁକ୍ତ ସଂଖ୍ୟକ ମହିଳାମାନେ ଭୋଟ ଅଧିକାର ପାଇବେ ବୋଲି ବିଶ୍ୱାସ ହେଉନାହିଁ ।

 

ଭାରତର ଶାସନରେ ନାରୀ ଅଧିକାର ବଜାୟ ରହିବ କେବଳ Adult Franchise ଦ୍ୱାରା । Adult Franchise ବ୍ୟତିରକେ ଏହି ଗୁରୁତର ସମସ୍ୟାର ସମାଧାନ ଯେ ଅସମ୍ଭବ, ଏଥିରେ ସନ୍ଦେହ ନାହିଁ ।

Image

 

 

 

 

 

 

ଆର୍ଥିକ ସ୍ୱାଧୀନତା

 

The relations of the sexes can never be really wholesome until women achieves complete economic emancipation

 

– Bernard Shaw

 

‘‘ନାରୀ ପୂର୍ଣ୍ଣ ଆର୍ଥିକ ସ୍ୱାଧୀନତା ନ ପାଇବା ପର୍ଯ୍ୟନ୍ତ ପୁରୁଷ ଓ ସ୍ତ୍ରୀ ମଧ୍ୟରେ ଥିବା ସବୁ ରକମର ସଂପର୍କ ପ୍ରକୃତରେ ହିତକର ହୋଇ ପାରିବେ ନାହିଁ ।’’

 

ସ୍ୱାଧୀନବୃତ୍ତେଃ ସାଫଲ୍ୟଂ ନ ପରାଧୀନବୃତ୍ତିତା,

ଯେ ପରାଧୀନ କର୍ମ୍ମାଣୋ ଜୀବନ୍ତୋପି ଚ ତେ ମୃତାଃ ।

(ଗରୁଡ଼ ପୁରାଣ)

 

ମୋର ସହକର୍ମୀ ପଚାରିଲେ– ‘‘ପୁଣି ଗୋଟାଏ ଆର୍ଥିକ ସ୍ୱାଧୀନତା କଣ ହେବ ? ହେଲେ ତାହା ସବୁ କ୍ଷେତ୍ରରେ ଯେ ବାଞ୍ଚନୀୟ ତାହା ତ ମନେ ହୁଏ ନାହିଁ ?’’

 

ମୋର ଜବାବ ଥିଲା– ‘‘ଆର୍ଥିକ ସ୍ୱାଧୀନତା ତା’ର ଏଇଥିପାଇଁ ଆବଶ୍ୟକ– ଯେଉଁଥିପାଇଁ ତା’ର ନାରୀତ୍ୱ ବା ତାହାଠାରୁ ବଳି ବ୍ୟକ୍ତିତ୍ୱ ଏ ସଂସାର କ୍ଷେତ୍ରରେ ଦରକାର । ଯେଉଁ ସାମ୍ରାଜ୍ୟ କୌଣସି ସମ୍ରାଟ କର୍ତ୍ତୃକ ଶାସିତ, ସେ ସାମ୍ରାଜ୍ୟର ସମ୍ରାଟହୀନ ନିଃଶଙ୍କ ନିରଙ୍କୁଶ ରାଜତ୍ୱ କଣ ସେହି ସାମ୍ରାଜ୍ୟର ସମସାମୟିକ ଅଧିବାସୀ କଦାପି କଳ୍ପନା କରି ପାରନ୍ତି ? ଏ ସେହିପରି ଜିନିଷ । ଯେ ସ୍ୱାଧୀନତା କଥା ଆମ୍ଭେମାନେ ଉତ୍ସାହିତ ଭାବରେ ଶୁଣିଥାଉଁ, ତାର ଅର୍ଥ କେବଳ ତାର ନିଜସ୍ୱ ଆର୍ଥିକ-ପରିସ୍ଥିତିର ଅପେକ୍ଷା ରଖେ । ଆଉ କେଉଁ କ୍ଷେତ୍ରରେ କେଉଁ ପରିସ୍ଥିତିରେ ବା ତାର ଆର୍ଥିକ ସଙ୍ଗତିର ଆବଶ୍ୟକତା ନାହିଁ ? ମନୁଷ୍ୟ ତ ଯେତେହେଲେ ସାମାଜିକ ଜୀବ, ସମାଜରେ ସେ ଚଳିଲେ ତାର ଧର୍ମ, ଅର୍ଥ, କାମ, ମୋକ୍ଷ କେଉଁଟାର ଊଣା ହେଲେ ଜୀବନର ପ୍ରଗତି ମୂଳରେ ଅସାମଞ୍ଜସ୍ୟର ଛନ୍ଦପାତ ନ ହେବ, ତାହା ବୁଝି ପାରି ହେବ ନାହିଁ !’’

 

ନାରୀ ପତ୍ନୀ, ନାରୀ ମାତା, ନାରୀ ଭଗିନୀ । ସେ ପୁରୁଷର ଅର୍ଦ୍ଧାଙ୍ଗିନୀ, ସହଧର୍ମିଣୀ ଓ ସହକର୍ମିଣୀ । ଏ ସମସ୍ତକୁ ସ୍ୱୀକାର କରିନେଲେ ତାର ବ୍ୟକ୍ତିତ୍ୱକୁ ସେହିଠାରେ ସ୍ୱୀକାର କରାଗଲା-

 

ସେ ସହାୟ-ସମ୍ପଦ-ଶୂନ୍ୟ ବିଧବା ହେଲେ, ଦୁଃସ୍ଥ ହେଲେ, ନିଜର ସନ୍ତାନ ପାଳନରେ ଅକ୍ଷମ ହେଲେ, ସର୍ବଦା ପରନିର୍ଭରଶୀଳା ହେଲେ ଯେ ସମାଜର, ଗୃହର, ପରିବାରର ସମୂହ କ୍ଷତି-! ସମାଜରେ ଯେଉଁ ମାନେ ଯଥାର୍ଥରେ ସ୍ୱାମୀ ସମ୍ପତ୍ତିର ଉତ୍ତରାଧିକାରିଣୀ ହୁଅନ୍ତି, କେଉଁଠି ବା ପୁତ୍ର ସହିତରେ ଆଂଶିକ ଭାବରେ ସେମାନଙ୍କର ଅଧିକାର ବଜାୟ ରହେ-ଯେଉଁମାନେ ଚକ୍ଷୁଷ୍ମାନ୍, ସେମାନେ କଣ ଦେଖିପାରୁ ନ ଥିବେ ଯେ, ଏହି ଅଧିକାର ସେ କେତେଦୂର ଭୋଗ କରିବାକୁ ସମର୍ଥ ହୋଇଥାଏ ? ହିନ୍ଦୁ ବିଧବାର ଦୁର୍ଦ୍ଦଶା ତ ମୋପରି ଜଣେ ଯଦି ବସି ଗାଇବେ, ତଥାପି ସେ କିଳ୍ବିଷ-କାହାଣୀ ଅସରନ୍ତି ହେବ । କଲିକତାର ଲୁଗାକଳ କେତୋଟି ଦେଖିବାର ଦୁର୍ଭାଗ୍ୟ ମୋତେ ଥରେ ମିଳିଥିଲା । ଦେଖିଛି, ଆମ ଦେଶର କେତେ ଶହ ଚାଳକ ସେହିଠାରେ ଠିକା କୁଲୀରୂପେ କାର୍ଯ୍ୟ କରନ୍ତି । କଳର ତାକୁଡ଼ିରୁ ସୂତା ଛିଡ଼ିଗଲେ, ସେହିମାନଙ୍କ ସରୁ ଆଙ୍ଗୁଳୀରେ ସେହି ସୂତାଗୁଡ଼ିକୁ ଯୋଡ଼ିବାର ଭାର ରହିଛି । ସେହି ଅପୋଗଣ୍ଡ ବାଳକ ଗୁଡ଼ିକଙ୍କର ଶାରୀରିକ ପୁଣି ନୈତିକ ଦୁରବସ୍ଥା କଥା ଅକଥନୀୟ ! ମୋର ମନେ ହୋଇଥିଲା, ଯଦି ଏମାନଙ୍କର ଦରିଦ୍ର ମାତାମାନଙ୍କର ଦେଶର ଧନ ଉପରେ ଅଧିକାର ଥାଆନ୍ତା କିମ୍ବା ଅନ୍ୟ କୌଣସି ଉପାୟରେ ଧନାଗମର ପନ୍ଥା ସେମାନଙ୍କ ଆଗରେ ଉନ୍ମୁକ୍ତ ରହି ଥାଆନ୍ତା, ତେବେ ଏ ବାଳକଗୁଡ଼ିକ ଏ ଦୂର ବିଦେଶକୁ ଆସି କଳ ସହିତରେ ଗୋଟିଏ ଗୋଟିଏ ଜୀବନ୍ତ କଳ ପାଲଟି ଯାଉ ନ ଥାନ୍ତେ ବୋଧହୁଏ । ଜାତିର ଶତ ଶତ ବାଳକବାଳିକାଙ୍କର ଏହି ପ୍ରକାର ନ ହେଉ, ଭିନ୍ନ ପ୍ରକାର ଦୁର୍ଦ୍ଦଶାର ସୀମା ନାହିଁ । ମାତାର ଦୁର୍ବଳ ପରିସ୍ଥିତି କେବଳ ଏହିପରି ନରନାରୀକୁ ଦେଶରେ ସୃଷ୍ଟି କରାଉଅଛି-। ସମାଜରେ ଦେଶରେ ସେମାନଙ୍କ ସ୍ଥାନ ଆଜି କେଉଁଠି, ତାହା ବିଚାରନ୍ତୁ । ଏହି ପ୍ରସଙ୍ଗରେ କେତେକ ଚିନ୍ତାଶୀଳ ବ୍ୟକ୍ତିଙ୍କର ଦୃଷ୍ଟି ଯାଇଁ ରାଜନୈତିକ ଅବସ୍ଥା ଉପରେ ପଡ଼ୁଥିବ କିମ୍ବା କେଉଁଠି କେଉଁଠି ଯାଇ ପାଶ୍ଚାତ୍ୟର ସଭ୍ୟତା-ଗର୍ବୀ ଦେଶ ଗୁଡ଼ିକର ସାମାଜିକ ତଥା ଅର୍ଥନୈତିକ ପରସ୍ଥିତି ଉପରେ ପଡ଼ିଥିବ । ଏହା ଅତ୍ୟନ୍ତ ସହଜ କଥା ଯେ, ଯେଉଁ ସବୁ ବିଷୟରେ ସମାଜର ପ୍ରତ୍ୟେକ ସାମାଜିକଙ୍କର ଓ ଦେଶର ପ୍ରତ୍ୟେକ ନାଗରିକଙ୍କର ଦାୟିତ୍ୱର ଗୁରୁଭାର ଅଦୃଶ୍ୟ ଭାବରେ ରହିଅଛି, ସେହି ସବୁ ବିଷୟରେ ଦାୟିତ୍ୱର ଭାରଟା ଅନ୍ୟ କୌଣସି ତୃତୀୟ ବା ଦ୍ୱିତୀୟ କାରଣ ଉପରେ ପକାଇ ଦେଲେ ସେମାନେ ଆପାତତଃ ନିଶ୍ଚିନ୍ତ ହୁଅନ୍ତି ।

 

ମାନିଲୁଁ, ରାଜନୈତିକ କାରଣ ଗୋଟିଏ ପ୍ରଧାନ କାରଣ; କିନ୍ତୁ ଦେଶର ଆଇନ ତ ଆମର ଦେଶବାସୀ ବାପ ଭାଇମାନେ କରିଛନ୍ତି ? ସେ ପୁଣି ତ ଅଦଳ ବଦଳ ଚାଲିଛି ? ଶାରଦା ଆଇନ୍‌ ଭଳି ଗୋଟିଏ ଆଇନ ପରା ସମାଜର ଗୋଟିଏ କୁପ୍ରଥା ବିରୁଦ୍ଧରେ ପ୍ରୟୋଗ ହୋଇଥିଲା-? ତାର ଫଳ କଣ ହୋଇଛି ? ଆଜି ଦିନ ଦି’ ପହରେ ତ ଦେଶବାସୀ ସେହି ଦନ୍ଥରା ଆଇନକୁ ଉପହାସ କରି ସ୍ୱେଚ୍ଛାକୃତ ଆଇନ ଭଙ୍ଗ କରି ଚାଲିଛନ୍ତି । ସେହିପରି ନାରୀ ସମ୍ବନ୍ଧରେ ତାର ଅଧିକାର ମୂଳକ ଆଇନଗୁଡ଼ିକ ମଧ୍ୟ ତିଆରି କରାଇବା ଓ ତାହା ଦେଶରେ ସାର୍ବଜନୀନ କରିବା କଣ ସେମାନଙ୍କର କ୍ଷମତାର ବହିର୍ଭୂତ ବିଷୟ ହୋଇପାରେ ? ପୁଣି ପାଶ୍ଚାତ୍ୟ ଦେଶର ଆର୍ଥିକ-ପରିସ୍ଥିତି ଆଡ଼କୁ ଯେଉଁମାନେ ଦୃଷ୍ଟିପାତ କରିବେ, ସେମାନେ ମଧ୍ୟ ଦେଖି ପାରିବେ– ନାରୀ ସେଠାରେ କିପରି ଭାବରେ ସେଠାରେ ଜାତୀୟ ସମ୍ପଦର ପ୍ରତୀକ ସ୍ୱରୂପ ହୋଇ ପାରିଅଛି । ସେଠାରେ ପୁରୁଷ ସହିତ ପ୍ରତିଦ୍ୱନ୍ଦୀ ହୋଇ ନାରୀ ଗୃହର ମଧୁର ଜୀବନକୁ ଯେପରି ନଷ୍ଟ କରୁଛି ବୋଲି ଅଭିଯୋଗ ଆସୁଅଛି, ଠିକ୍‌ ସେହି ଧାରାରେ ଭାରତୀୟ ସମାଜର ନାରୀ ଯେ କଦାପି ନିଜକୁ ନିୟନ୍ତ୍ରିତ କରିପାରିବ ତାହା ଭାରତର ଜଳବାୟୁରେ ବଢ଼ିଥିବା ନାରୀ ପକ୍ଷରେ ଅତ୍ୟନ୍ତ ଅସମ୍ଭବ କଥା । ଆର୍ଥିକ ସ୍ୱାଧୀକାରର ପଥ ଅର୍ଗଳମୁକ୍ତ ହେଲେ ସମାଜରେ ଅନେକ ପଚା, ସଢ଼ା, କଦର୍ଯ୍ୟ ପ୍ରଥାର ଲୋପ ପାଇବ । ସେ ତାର ଜାତୀୟ ସଭ୍ୟତାକୁ ଗଢ଼ିବ, ତାର କୋମଳ ହୃଦୟବୃତ୍ତିର ଅବଦାନରେ ଏହି ଭାରତୀୟ ସଭ୍ୟତାର ମହତ୍ୱ ଆହୁରି ମହୀୟାନ ଓ ଗରୀୟାନ ହୋଇ ଉଠିବ । ସେ ବର୍ତ୍ତମାନ ସମାଜରେ ନାଁଆକୁ ରାଣୀ ହୋଇଛି ସତ୍ୟ, କିନ୍ତୁ ଏଇ ରାଣୀ ନାଁ ଫାଙ୍କ ତଳେ ଯେ କାଙ୍ଗାଳୁଣୀ ନାଁ ଟି ଉହ୍ୟ ରହିଛି, ଏହା ତ ସମସ୍ତେ ଦେଖୁଥିବେ । କହିବାକୁ ଗଲେ ନାରୀ ହେଉଛି ଜାତୀୟ ସୃଷ୍ଟିର ଉତ୍ସ ସ୍ୱରୂପା, ଜାତି ଗଠନରେ, ପୁରୁଷର ସୃଷ୍ଟିରେ, ସଭ୍ୟତାରେ, ଶିକ୍ଷାରେ, ଦୀକ୍ଷାରେ, ମନନ ଶକ୍ତିରେ, ମେଧାରେ, ହୃଦୟରେ, ରୁଚିରେ ତାର ହସ୍ତ ଅଦୃଶ୍ୟ ଭାବରେ ପ୍ରସାରିତ ହୋଇ ରହିଛି । ଯଦିଚ ତା ପ୍ରତ୍ୟକ୍ଷରେ ନୁହେଁ, ପରୋକ୍ଷରେ । ଆମ୍ଭମାନଙ୍କର ଜାତୀୟ ଦୁର୍ଦ୍ଦଶାର ଗୋଟିଏ ପ୍ରଧାନ କାରଣ କଣ ଏହା ନୁହେଁ ଯେ, ଆମ୍ଭମାନଙ୍କର ସମାଜ ବା ସମୂହଜାତି ଏହି ଅବଦାନରୁ ବଞ୍ଚିତ ହୋଇ ରହିଛି ?

 

ଏବେ ନୁହେଁ, ଚିରକାଳରୁ ନାରୀଜାତି ଏହି ନିର୍ଯ୍ୟାତନା ଭୋଗକରି ଆସୁଅଛି । ଆମ ହିନ୍ଦୁ ଶାସ୍ତ୍ରପୁରାଣମାନଙ୍କରେ ଅନେକ କଥା ଲେଖାଅଛି ସତ୍ୟ; କିନ୍ତୁ ତାହା ଅନୁସାରେ କିଏ ବା ଚଳୁଛି ? ବର୍ତ୍ତମାନର ସଂସାରର ଗତି ଯେପରି ହେଲାଣି, ସେଥିରେ ସେହି ନୀତିଗୁଡ଼ିକର ପରିବର୍ତ୍ତନ ଯେ ନିତାନ୍ତ ଆବଶ୍ୟକ– ଏଥିରେ ସନ୍ଦେହ ନାହିଁ ।

 

‘‘ଅସାର ସଂସାର ବିବର୍ତ୍ତନେଷୁ ମା ଜାତ ତୋଷଂ ପ୍ରସଭଂ ବ୍ରବୀମି ।’’

 

ହିନ୍ଦୁ ଜାତିର ଏ ବୈରାଗ୍ୟ ଭାବ ସମାଜ ତନ୍ତ୍ରରେ ଆଦର୍ଶରୂପେ ଗ୍ରହଣ କରାଗଲେ ମଧ୍ୟ ତାକୁ ଲାଭ କରିବା ପାଇଁ କି ପ୍ରଗାଢ଼ ଯତ୍ନ କରିବାକୁ ହେବ, ତାହା ବିଶେଷ ଭାବରେ ବୁଝାଇବା ଅନାବଶ୍ୟକ । ହିନ୍ଦୁର ଏ ବୈରାଗ୍ୟ ଭାବ ସନାତନ ଯୁଗରୁ ସମାଜରେ ସଜୀବ ଭାବରେ ବିଦ୍ୟମାନ ଥିଲା; ବର୍ତ୍ତମାନ ମଧ୍ୟ କେତେକ ପରିମାଣରେ ଅଛି । କିନ୍ତୁ ବିଂଶ ଶତାବ୍ଦୀର ଏହି ବସ୍ତୁତାନ୍ତ୍ରିକ ଯୁଗରେ ଏହି ଆଦର୍ଶ କେତେଦୂର କାର୍ଯ୍ୟକାରୀ ହେବ, ତା କହି ହେଉନାହିଁ । ପ୍ରତିଯୋଗିତା ନ ଥାଇ କେବଳ ବୈରାଗ୍ୟ ଉପରେ ସଂସାର ଚଳିବ ବୋଲି ବିଶ୍ୱାସ ହେଉ ନାହିଁ । ବୈରାଗ୍ୟ କହ, ପ୍ରତିଯୋଗିତା କହ କିମ୍ବା ସହଯୋଗିତା କହ, ଏଗୁଡ଼ିକ ସମ-ସ୍ତରର ବ୍ୟକ୍ତିମାନଙ୍କ ମଧ୍ୟରେ କେବଳ ସମ୍ଭବପର । ଯେଉଁଠାରେ ଅସାମ୍ୟ ରହିଅଛି, ସେହିଠାରୁ ଏଗୁଡ଼ିକ ସନ୍ତୋଷଜନକ ଭାବରେ କାର୍ଯ୍ୟକାରୀ ହୋଇପାରି ନାହିଁ । ଆମର ହିନ୍ଦୁ ସମାଜ ‘ବସୁଧୈବ କୁଟୁମ୍ବକମ୍‌’ All for one and one for all” ଏହି ଆଦର୍ଶକୁ ପ୍ରତିପାଦନ କରିଛି ସତ୍ୟ; କିନ୍ତୁ ଏହାର ଭିତରେ ଅଧିକାରଭେଦକୁ ମଧ୍ୟ ମାନି ନେଇଅଛି । ଏହି ଅଧିକାରଭେଦ ହେତୁ ଆମ ସମାଜରେ ଅସାମ୍ୟତା ବେଶି ପରିମାଣରେ ରହିଛି । ‘All men are born equal’ ସମସ୍ତେ ତ ଜନ୍ମତଃ ସମାନ-ରୁଷୋଙ୍କର ଏହି ନୀତିଟି ‘ବସୁଧୈବ କୁଟୁମ୍ବକଂ’ ଏହି ଭାବର ଖୁବ୍‌ ନିକଟବର୍ତ୍ତୀ ହେଲେ ମଧ୍ୟ ହିନ୍ଦୁ ଜାତି ‘All are born equal’କୁ ମାନୁ ନାହିଁ, କିନ୍ତୁ ଆମ୍ଭେମାନେ ‘All are made equal’ ଏହି କଥାରେ ବିଶ୍ୱାସ କରିବା ପାଇଁ ଆମ୍ଭମାନଙ୍କ ନୀତିକାର ମଧ୍ୟ କହି ଅଛନ୍ତି । ଶେଷ ବୟସରେ ଯେତେବେଳେ ସର୍ବଶ୍ରେଣୀର ଲୋକେ-କି ବ୍ରାହ୍ମଣ, କି ବୈଶ୍ୟ, କି କ୍ଷତ୍ରିୟ, କି ଶୂଦ୍ର ବାନପ୍ରସ୍ଥାଶ୍ରମ ଅବଲମ୍ବନ କରନ୍ତି, ସେତେବେଳେ ଆମ୍ଭେମାନେ ’All are made equal’ ଏହି ଐକ୍ୟ ଦେଖିବାକୁ ପାଉଁ; କିନ୍ତୁ ୟାର ମୂଲ୍ୟ କେତେ, ତାହା ବର୍ତ୍ତମାନ ଆଲୋଚନା କରିବା ନିଷ୍ପ୍ରୟୋଜନ ।

 

ଯେତେଦିନ ପର୍ଯ୍ୟନ୍ତ ସମାଜରେ ଅଧିକାରଭେଦ, ତା ପୁଣି ବଳାତ୍କାର ଭାବରେ ବିଦ୍ୟମାନ ଥିବ, ସେତେଦିନ ପର୍ଯ୍ୟନ୍ତ କି ସମାଜ, କି ବ୍ୟକ୍ତି କାହାରି ବିଶେଷ ଉନ୍ନତି ସମ୍ଭବପର ହୋଇ ପାରିବ ନାହିଁ ।

 

ଏହି ଯେ ଅଧିକାର-ଭେଦ, ଏହା ଜଗତରେ ଯାବତୀୟ ଗଣ୍ଡଗୋଳର ମୂଳ କାରଣ ବୋଲି ଅନେକ ମନୀଷୀମାନଙ୍କର ମତ ।

 

ସମାଜର ଶ୍ରେଣୀ ଭିତରେ ପରସ୍ପର ମଧ୍ୟରେ ଯେପରି, ସାଧାରଣ ଭାବରେ ସ୍ତ୍ରୀ ଓ ପୁରୁଷ ଜାତି ମଧ୍ୟରେ ମଧ୍ୟ ଏହି ବଳାତ୍କାର ଅଧିକାରଭେଦ ବହୁତ ଅନିଷ୍ଟ ଘଟାଇଅଛି । ସନାତନ କାଳରୁ ପୁରୁଷ ସୁବିଧା ପାଇଛି ବୋଲି ସମାଜରେ ଉଚ୍ଚସ୍ଥାନ ଅଧିକାର କରି ରହିଅଛି । ନାରୀ ସେ ସୁବିଧା ପାଇନାହିଁ ବୋଲି ତାହା କରିପାରି ନାହିଁ । ଆଜି ସେଥିପାଇଁ ସେ କ୍ଷୁବ୍‌ଧ ଏବଂ ତାର ନ୍ୟାଯ୍ୟ ସ୍ଥାନ ପାଇବା ପାଇଁ ସେ ବଦ୍ଧପରିକର ।

 

ସଂସାରରେ ସବୁ କ୍ଷେତ୍ରରେ ଅର୍ଥ ହେଉଛି ମେରୁଦଣ୍ଡ ସ୍ୱରୂପ । ଅର୍ଥର ଏହି ପ୍ରାଧାନ୍ୟ ଦୃଷ୍ଟିରେ ୟାରି ଉପରେ ଯେପରି ପୂର୍ଣ୍ଣ ଅଧିକାର ରହେ, ସେଥିପାଇଁ ସମସ୍ତେ ବ୍ୟାକୁଳ । ବିଭିନ୍ନ ଜାତି ଯେପରି ଆର୍ଥିକ ସ୍ୱରାଜ୍ୟ ପାଇବା ପାଇଁ ପ୍ରାଣପଣେ ଯତ୍ନ କରୁଛନ୍ତି, ନାରୀ-ସମାଜ ମଧ୍ୟ ତାର ଆର୍ଥିକ-ସ୍ୱରାଜ୍ୟ ପାଇବା ପାଇଁ ଯତ୍ନ କରୁଅଛି । କି ପ୍ରାଚ୍ୟ, କି ପାଶ୍ଚାତ୍ୟ, ପ୍ରତ୍ୟେକ ଦେଶରେ ଏହି ଆର୍ଥିକ-ସ୍ୱାଧୀନତାର ଆନ୍ଦୋଳନ ଦେଖା ଦେଇଛି । ପାଶ୍ଚାତ୍ୟ ଦେଶରେ ଅନେକ ସ୍ଥାନରେ ନାରୀଜାତି ଅନେକ ପରିମାଣରେ ଯଶସ୍ୱୀ ହୋଇ ସାରିଲେଣି; କିନ୍ତୁ ଆମର ଭାରତବର୍ଷରେ ଏହି ଆନ୍ଦୋଳନ ଆହୁରି ଶିଶୁ ଅବସ୍ଥାରେ ରହିଅଛି କହିଲେ ଅତ୍ୟୁକ୍ତି ହେବ ନାହିଁ ।

 

ନାରୀଜାତି ଯେତେ ପ୍ରକାର ଦୁର୍ଦଶା ଭୋଗ କରୁଛି, ତାର ମୂଳ କାରଣ ହେଉଛି, ତାର ଆର୍ଥିକ-ପରାଧୀନତା । ଏବେ ନୁହେଁ, କେଉଁ ସନାତନ ଯୁଗରୁ ହିନ୍ଦୁ ସମାଜ ସ୍ତ୍ରୀର ଆର୍ଥିକ ସ୍ୱାଧୀନତା କଥା ପସନ୍ଦ କରି ନାହିଁ । ଜନ୍ମଠାରୁ ମରଣ ପର୍ଯ୍ୟନ୍ତ ସେ ପରାନ୍ନପାଳିତା ହୋଇ ରହିବ-। ‘ପିତା ରକ୍ଷତି କୌମାରେ, ଭର୍ତ୍ତା ରକ୍ଷତି ଯୌବନେ, ପୁତ୍ରୋ ରକ୍ଷତି ବାର୍ଦ୍ଧକ୍ୟେ ନ ସ୍ତ୍ରୀ ସ୍ୱାତନ୍ତ୍ର୍ୟ ମର୍ହତି’’ ଏଥିରୁ ସ୍ପଷ୍ଟଭାବରେ ଜଣା ପଡ଼ୁଛି, ପ୍ରାଚୀନ କାଳର ଆମ୍ଭମାନଙ୍କର ଧର୍ମ୍ମାଚାର୍ଯ୍ୟମାନଙ୍କର ନାରୀଜାତିର ଆର୍ଥିକ-ସ୍ୱାଧୀନତା ସମ୍ବନ୍ଧରେ କି ମତ ଥିଲା ।

 

ପ୍ରଜାତନ୍ତ୍ର କହ, ସାମ୍ୟ, ମୈତ୍ରୀ, ସ୍ୱାଧୀନତା କହ, ସବୁ ସୁବିଧା ଭୋଗ କରୁଛି ପୁରୁଷ ଜାତି । ମନୁଷ୍ୟ ଜନ୍ମ ପାଇ ଯାହା ମାନବୋଚିତ ଅଧିକାର, ତାହା ସୁଦ୍ଧା ସ୍ତ୍ରୀ ଭୋଗ କରିପାରୁ ନାହିଁ-। ‘Light of the world and salt of the Earth’ ଏହିତକ ଭୋଗ କରିବା ମଧ୍ୟ ତାର ଭାଗ୍ୟରେ ନାହିଁ । ପେଟ ପୂରିବା ପାଇଁ ମୁଠାଏ ଭାତରେ, ମୁଣ୍ଡ ଗୁଞ୍ଜିବା ଟିକେ ସ୍ଥାନରେ, ନଗ୍ନତା ଦୂର କରିବାପାଇଁ ଖଣ୍ଡିଏ ଲୁଗାରେ ତାର ଅଧିକାର ନାହିଁ । ସେ ପୁରୁଷର କ୍ରୀତଦାସୀ ଏହି ଶବ୍ଦ ଥାଏ ଓ ତାହା ଏହାର ଭାବ ପ୍ରକାଶ କରୁଥାଏ, ତେବେ ଉପାଧି ତାହାହିଁ । ପୁରୁଷର ସ୍ୱାଭାବିକ ନ୍ୟାୟପରତା, ଜ୍ଞାନ ଓ ବିଚାର ବୁଦ୍ଧି ସ୍ତ୍ରୀକୁ ବା ଏତେ ଅଧିକାର ଦେବ କାହିଁକି ।

 

ପତିର ସମ୍ପତ୍ତିରେ, ପିତାର ସମ୍ପତ୍ତିରେ, ପୁତ୍ରର ସମ୍ପତ୍ତିରେ ଅଧିକାରନାହିଁ । ସେ କୁଟୁମ୍ବ ଭିତରେ ଅନୁଗ୍ରହର ପାତ୍ରୀ । ଗୃହ-ପରିଚାଳନାରେ ତାର ସର୍ବମୟ ଆଧିପତ୍ୟ ଓ କର୍ତ୍ତୃତ୍ୱ ନାହିଁ । ଶିକ୍ଷା କହ, ଦୀକ୍ଷା କହ, ସ୍ୱାସ୍ଥ୍ୟ କହ, ସବୁ ବିଷୟ ସେହି ଆର୍ଥିକ-ପରାଧୀନତା ଦୃଷ୍ଟିରେ ନାରୀଜାତିକୁ ଦିଆ ଯାଉଅଛି । ଅର୍ଥାତ୍‌ ତାହାର ଭାଗ ପୁରୁଷ ଅନୁପାତରେ ଊଣା ପଡ଼ୁଛି, ଯେପରି କି ଶ୍ରମିକ ପୁରୁଷ ଅପେକ୍ଷା ଶ୍ରମିକ ନାରୀ ଏକା ପରିଶ୍ରମ ପାଇଁ ସ୍ୱଳ୍ପ ପାରିଶ୍ରମିକ ପାଇଥାଏ । ଘରେ ନିଜର ସହୋଦର ସହିତ ଶିକ୍ଷାରେ ଓ ଉତ୍ତରାଧିକାରିତ୍ୱରେ ସେ ସମାନ ନୁହେଁ । ସବୁ ବିଷୟରେ ପୁରୁଷ ଅପେକ୍ଷା ତାର ନିମ୍ନ ସ୍ଥାନ ବୋଲି ଧରା ଯାଇଥାଏ । ବିବାହ ତ ତା ଜୀବନ ପକ୍ଷରେ ଗୋଟିଏ Matter of fact ଅବଶ୍ୟମ୍ଭାବୀ ପରିଣତ । ସେ ବିବାହ କରିବ ପୁରୁଷର ସବୁ ପ୍ରକାର ସୁଖ ପାଇଁ, ପୁରୁଷର ଅଧୀନତା ସ୍ୱୀକାର ପାଇଁ । ମାନ ସମ୍ଭ୍ରମ ସହିତ ପରିଶ୍ରମ କରି ସ୍ୱାଧୀନ ଭାବରେ ଜୀବିକା ଅର୍ଜନ କରିବ, ଏହା ହିନ୍ଦୁ ଜାତି ସହିବାକୁ ନାରାଜ । ହିନ୍ଦୁ ସମାଜରେ ନାରୀ ଓ ପୁରୁଷ ମଧ୍ୟରେ ଏହି ଅସମାନତା ହେତୁ ନାରୀ ଜାତି ଯେଉଁ ନିର୍ଯାତନା ଓ ଲାଞ୍ଛନା ଭୋଗ କରି ଆସୁଅଛି, ତାହା ମସୀ-ଲିପିକାରେ ସୀମାବଦ୍ଧ କରିବାକୁ ଯିବା ବେଳାଭୂମିରେ ବାଲି ମୁଠି ମୁଠି ପକାଇ ସମୁଦ୍ର ମଧ୍ୟରେ ବନ୍ଧ ପକାଇବା ପରି ଅତ୍ୟନ୍ତ ଅସମ୍ଭବ କଥା ।

 

ହିନ୍ଦୁ ଆର୍ଥିକ-ପରାଧୀନତାକୁ ଲକ୍ଷ୍ୟ କରି ବିଶ୍ୱବରେଣ୍ୟ କବି ରବୀନ୍ଦ୍ରନାଥ କହିଛନ୍ତି-‘‘ପୂର୍ବ କାଳରେ ଏକାଧିପତ୍ୟ ଲାଳସା ବେଶି ପରିମାଣରେ ଥିଲା । ସେହି ସମୟରେ ସ୍ତ୍ରୀ ଓ ପୁରୁଷ ସମ୍ପର୍କୀୟ ଅନେକ ପ୍ରକାର ବିଧି ବିଧାନ ତିଆରି ହୋଇଛି । ଆର୍ଥିକ ପରାଧୀନତା ହେତୁ ଏହି ସବୁ ବିଧି ବିଧାନରେ ବହୁତ ନୀଚତା ରହିଅଛି । ଆମର ଆର୍ଥିକ ପ୍ରଭୁତ୍ୱ ଆମକୁ ଯେପରି ଭାବରେ ନୀଚ କରି ଦେଇଛି, ସେପରି ଅନ୍ୟ କିଛି କରିଛି ବୋଲି ମନେ ହେଉ ନାହିଁ ।’’ ପ୍ରତ୍ୟେକ ଚିନ୍ତାଶୀଳ ସମାଜ-ହିତୈଷୀ ବ୍ୟକ୍ତି ନାରୀଜାତିର ଏହି ଗୁରୁତର ସମସ୍ୟାର ସନ୍ତୋଷଜନକ ସମାଧାନର ଆବଶ୍ୟକତା ବୁଝି ପାରୁଅଛନ୍ତି । ସ୍ତ୍ରୀ ଜାତି ମଧ୍ୟ ଏଥି ପ୍ରତି ଉଦାସୀନ ନୁହେଁ ।

 

ପାଶ୍ଚାତ୍ୟ ଦେଶମାନଙ୍କର ମହିଳାମାନେ ନିଜର ଆର୍ଥିକ ସ୍ୱାଧୀନତା ପାଇଁ ଭୀଷଣ ଆନ୍ଦୋଳନ କରୁଛନ୍ତି । ଜର୍ମାନୀ, ଫ୍ରାନ୍‌ସ, ଆମେରିକା, ଇଂଲଣ୍ଡ ପ୍ରଭୃତି ଦେଶମାନଙ୍କର ସ୍ତ୍ରୀମାନେ ଆଶାତୀତ ଭାବରେ ଏ ଦିଗରେ ଅଗ୍ରସର ହୋଇ ସାରିଲେଣି ।

 

ପ୍ରାୟ ୩୦।୪୦ ବର୍ଷ ପୂର୍ବେ ଜର୍ମାନୀରେ ମହିଳାମାନେ ବିଶ୍ୱ ବିଦ୍ୟାଳୟରେ ପ୍ରବେଶ କରିବାକୁ ସାହସୀ ହେଉ ନ ଥିଲେ । ମହିଳା ଛାତ୍ରୀମାନଙ୍କୁ ବିଶ୍ୱବିଦ୍ୟାଳୟ ‘‘ଅତିଥି’’ ରୂପରେ ଗ୍ରହଣ କରୁଥିଲା । କେବଳ ଡାକ୍ତରୀ ଓ ଶିକ୍ଷୟିତ୍ରୀ ବିଦ୍ୟା ଶିଖିବା ଛଡ଼ା ଶିକ୍ଷାର ଅନ୍ୟ କୌଣସି ଦିଗରେ ସେମାନଙ୍କର ମନ ନ ଥିଲା । କିନ୍ତୁ ବର୍ତ୍ତମାନ ସେ ସସୟ ଆଉ ନାହିଁ । ପ୍ରତ୍ୟେକ ବିଭାଗରେ ନାରୀମାନଙ୍କର ଆଧିପତ୍ୟ ବଢ଼ି ଯାଇଛି । ଅନେକ ମହିଳା ଅଧ୍ୟାପିକା ହୋଇ ପାରିଛନ୍ତି-। ବୈଜ୍ଞାନିକ ଗବେଷଣା, କି ଇତିହାସ ଚର୍ଚ୍ଚା, କି ଅର୍ଥନୀତି ଚର୍ଚ୍ଚା, କି ଆଇନ ବ୍ୟବସାୟ, ସବୁ ଦିଗରେ ନାରୀମାନେ କୃତିତ୍ୱ ଲାଭ କରିଛନ୍ତି ।

 

ଅନେକ ସ୍ତ୍ରୀ ପୁଲିଶ ବିଭାଗରେ ମଧ୍ୟ କର୍ମଚାରୀ ନିଯୁକ୍ତ ଅଛନ୍ତି । ୧୯୧୩ ସାଲରେ ସ୍ତ୍ରୀ ଡାକ୍ତରମାନଙ୍କ ସଂଖ୍ୟା ଥିଲା ୧୯୫; କିନ୍ତୁ ୧୯୨୭ ସାଲରେ ୧୬୨୭ ହୋଇ ଯାଇଛି । ୧୯୧୪ ସାଲରେ ବିଶ୍ୱ-ବିଦ୍ୟାଳୟରେ ଛାତ୍ରୀମାନଙ୍କର ସଂଖ୍ୟା ଥିଲା ୪୧୦୦, ୧୯୨୬ରେ ୭୨୫୯ ହୋଇ ଯାଇଛି । ଏହି ୭୨୫୯ ଛାତ୍ରୀମାନଙ୍କ ମଧ୍ୟରୁ ୩୦୫୦ ଜଣ ଦର୍ଶନ, ୧୨୦୦ ଜଣ ବିଜ୍ଞାନ, ୧୧୫୦ ଜଣ ଆଇନ ଓ ରାଷ୍ଟ୍ରୀୟ ଅର୍ଥନୀତି, ୧୨୦୦ ଜଣ ଡାକ୍ତରୀ, ୨୫୦ ଜଣ ଦନ୍ତ ବିଜ୍ଞାନ, ୨୭୦ ଜଣ ଫର୍ମାସୀ ( କମ୍ପାଉଣ୍ଡରୀ) ଓ ୭୦ ଜଣ ଧର୍ମ୍ମତତ୍ତ୍ୱ ପଢ଼ୁଥିଲେ । ୧୯୧୭ ସାଲରେ ଟେକ୍‌ନିକାଲ କଲେଜରେ ଛାତ୍ରୀ ଥିଲେ ୬୨; କିନ୍ତୁ ୧୯୨୩ ରେ ଏହି ସଂଖ୍ୟା ହେଲା ୪୭୧ ।

 

୧୯୨୦ ସାଲରେ ଜର୍ମାନୀର ମୋଟ ଜନସଂଖ୍ୟା ଛଅ କୋଟି ମଧ୍ୟରୁ ୯୫ ଲକ୍ଷ ସ୍ତ୍ରୀ ଲୋକ ବ୍ୟବସାୟ, ବାଣିଜ୍ୟ, ଚାକିରୀ ପ୍ରଭୃତିରେ କାର୍ଯ୍ୟ କରୁଥିଲେ । ଯୁକ୍ତରାଜ୍ୟର ମୋଟ ଜନସଂଖ୍ୟା ୧୧ କୋଟିରୁ ୮୫ ଲକ୍ଷ ସ୍ତ୍ରୀଲୋକ ବ୍ୟବସାୟ, ବାଣିଜ୍ୟ ଓ ଚାକିରୀ କରି କାଳାତିପାତ କରୁଥିଲେ ।

 

ଇଲଂଣ୍ଡର ମୋଟ ଜନସଂଖ୍ୟା ୪ କୋଟି ମଧ୍ୟରୁ ୬୫ ଲକ୍ଷ ସ୍ତ୍ରୀଲୋକ ଏହିପରି କାର୍ଯ୍ୟରେ ନିଯୁକ୍ତ ଥିଲେ ।

 

ଆର୍ଥିକ ପରାଧୀନତା ଯୋଗୁଁ ନାରୀଜାତି ଯେଉଁ ଦୁର୍ଦ୍ଦଶା ଭୋଗ କରୁଅଛି, ତାହା କ’ଣ ବୋଲି ବର୍ଣ୍ଣନା କରିବି ? ଅଧିକାର ମଦରେ ମତ୍ତ ଧନୀ ପରାକ୍ରମଶାଳୀ ପୁରୁଷର ପାଶବିକତା ଚରିତାର୍ଥ କରିବା ପାଇଁ ନିରୀହ ଅବଳାର ସର୍ବନାଶ ଘଟୁଛି । ତାହା କି ଉପାୟରେ ହେଉଛି, ତା’ର ହିସାବ ଦେବାକୁ ଆମ୍ଭମାନଙ୍କର ପୁଞ୍ଜି କାହିଁ !

 

ବିବାହ-ଯାହାକୁ ଆମେ ସମାଜର ଗୋଟିଏ ଉତ୍କୃଷ୍ଟ ଅନୁଷ୍ଠାନ ବୋଲି ଧରି ନେଉଅଛୁ, ସେଥିରେ ନାରୀଜାତିର ମୁହଁ ଖୋଲିବାର ଅଧିକାର ନାହିଁ । ବାପ ମାଆ ‘ଦେଲା ନାରୀ, ହେଲା ପାରି’ ହେବାପାଇଁ ଯେଡ଼େ ଅଜ୍ଞାତ କୁଳଶୀଳ ପାତ୍ରରେ ପକାଇ ଦିଅନ୍ତୁ ପଛକେ, ସେଥିର ପ୍ରତିବାଦ କରିବାକୁ ତାର ଅଧିକାର ଓ ଶକ୍ତି ନାହିଁ । ଆଜି ଯଦି ପୁରୁଷ ପରି ତା’ର ସମାନ ଅଧିକାର ଥାଆନ୍ତା, ତେବେ ସେ ତାର ମନୋନୀତ ପୁରୁଷ ସହିତ ବିବାହ କରି ତା’ର ସୁଖର ନୀଡ଼ ରଚନା କରି ପାରିବାକୁ ସମର୍ଥା ହୋଇଥାଆନ୍ତା । ତା’ର ମନ ପାଉ କି ନ ପାଉ, ସ୍ୱାମୀ ନିର୍ବୋଧ ହୁଣ୍ଡା ହେଉ ବା ଗୁଣ୍ଡା ହେଉ, ତାକୁ ଆଜୀବନ କପାଳ ଆଦରି ରହିବାକୁ ହେବ । ଇଚ୍ଛା କଲେ ସ୍ୱାମୀ ତାକୁ ତ୍ୟାଗ କରିପାରେ; କିନ୍ତୁ ସେ ତ ଅଶରଣ, ସେ ତାହାର ସ୍ୱାମୀକୁ ତ୍ୟାଗ କରି ନ ପାରେ । ଏହି ଆଇନ ବିଧିବଦ୍ଧ ବ୍ୟଭିଚାରର ଏକ ପ୍ରତ୍ୟକ୍ଷ ନିଦର୍ଶନ ସ୍ୱରୂପ । ଯେତେଦିନ ପର୍ଯ୍ୟନ୍ତ ପରସ୍ପରର ପ୍ରକୃତ ପ୍ରୀତି ବିବାହ ମୂଳରେ ନାହିଁ, ସେତେଦିନ ପର୍ଯ୍ୟନ୍ତ ସମାଜର ମଙ୍ଗଳ ହୋଇ ପାରେ ନା । ଏହି ସମସ୍ୟାର ସମାଧାନ ହୋଇ ପାରିବ କେବଳ ନାରୀ ଜାତିର ଆର୍ଥିକ ସ୍ୱାଧୀନତାରେ ।

 

ଆର୍ଥିକ ସ୍ୱାଧୀନତା ସମ୍ପର୍କୀୟ ଅନେକଗୁଡ଼ିଏ ଦାବୀ ସ୍ଥଳ ବିଶେଷରେ ବିଭିନ୍ନ ଲୋକଙ୍କ ଦ୍ୱାରା ଉପସ୍ଥାପିତ କରା ଯାଇଛି । ଭାରତ ବର୍ଷରେ କେତେ ମହିଳାନୁଷ୍ଠାନ ଏ ଦିଗରେ ଅଗ୍ରସର ହୋଇଛନ୍ତି । ନିଖିଳ ଭାରତ ମହିଳା ସମ୍ମିଳନୀ ଓ ନିଖିଳ ଭାରତ ନାରୀ-ସ୍ୱାଧୀନତା ସଂଘ ଏ ଦିଗରେ ବିଶେଷ ଯତ୍ନବାନ ଅଛନ୍ତି । ୧୯୩୧ ମସିହାରେ ତାମିଲ ପ୍ରଦେଶର ମହିଳା-ସମ୍ମିଳନୀରେ ସଭାପତି ଅଭିଭାଷଣରେ ମୁଁ ଯେଉଁ ଦାବୀଗୁଡ଼ିକ ଉପସ୍ଥାପିତ କରିଥିଲି, ସଂକ୍ଷେପରେ ସେଗୁଡ଼ିକ ନିମ୍ନରେ ବିବୃତ କରୁଅଛି :-

 

୧.

କେବଳ ହିନ୍ଦୁ-ପରିବାରରେ କାହିଁକି, ଅନ୍ୟାନ୍ୟ ଜାତିରେ ମଧ୍ୟ ପରିବାରର ସାଧାରଣ ସମ୍ପତ୍ତି ଉପରେ ନାରୀମାନଙ୍କର କୌଣସି ମୌଳିକ ଅଧିକାର ନାହିଁ । ବର୍ତ୍ତମାନ ଯେଉଁ ଟିକକ ଅଛି, ତାହା କିଛି ନୁହେଁ କହିଲେ ଚଳେ । ସମ୍ପତ୍ତିର ଅଧିକାର ନ ଥିବା ହେତୁ ନାରୀ ଜୀବନ କି ଯନ୍ତ୍ରଣାମୟ, ତାହା ଅଧିକ ଲେଖିବା ବାହୁଲ୍ୟ ମାତ୍ର । ସମାଜର ସମୂହ ଉନ୍ନତି ନିମନ୍ତେ ସମ୍ପତ୍ତି ଉପରେ ସ୍ତ୍ରୀ ଓ ପୁରୁଷ ଉଭୟଙ୍କର ତୁଲ୍ୟ ଅଧିକାର ରହିବା ଉଚିତ । ଆହୁରି ମଧ୍ୟ ଦେଖାଯାଉଛି, ସାଧାରଣ କାର୍ଯ୍ୟ କ୍ଷେତ୍ରରେ ନାରୀ ଅପେକ୍ଷା ପୁରୁଷ ବେଶୀ ସୁବିଧା ପାଉଛି; କେବଳ ନାରୀ ନାରୀ ବୋଲି ସୁବିଧା ପାଉ ନାହିଁ । ଯେତେ ଯୋଗ୍ୟତା ଥାଉ ପଛକେ ପୁରୁଷ ସହିତ ସେ ସମାନ ଦୃଷ୍ଟି ଆକର୍ଷଣ କରିପାରୁ ନାହିଁ । ଏହାଦ୍ୱାରା ତାର ଉନ୍ନତିରେ ବ୍ୟାଘାତ ଘଟିବା ସହଜରେ ଅନୁମେୟ । ଯଦି ଉପଯୁକ୍ତ ଯୋଗ୍ୟତା ଥାଏ, ତେବେ ନାରୀ କିମ୍ବା ପୁରୁଷ ଏହି ଭେଦଭାବ କର୍ମକ୍ଷେତ୍ରରେ ବିଚାର କରିବା ଅନୁଚିତ । ତାକୁ ପୂରା ସୁବିଧା ଦେବା ସମାଜର କର୍ତ୍ତବ୍ୟ ଏବଂ ଏ ଦିଗରେ ସମାଜ ନାରୀକୁ ବଞ୍ଚିତ କରିବା ଅର୍ଥ ନିଜେ ବଞ୍ଚିତ ହୋଇ ରହିବ ।

୨.

ସମାଜ ଦେଖୁଛି, ପୁରୁଷ-କୃଷକ ସହିତ ନାରୀ-କୃଷକ ସମାନ ଭାବରେ ସେତିକି ଖରା, ବର୍ଷା, ଶୀତ ସହି କାମ କରୁଅଛି । ଏପରି ଅବସ୍ଥାରେ ମୂଲ ପାଇଲା ବେଳକୁ ତାଙ୍କର କେତେ ଅଂଶ ପଡ଼େ, ତାହା ସମାଜ ଜାଣେ । ଯେଉଁଠି କୋଠା କାମ ହୁଏ, ଚୂନକୁଟା, ଗୋଡ଼ିଚଲା, ଇଟା ଓ ମାଟି ବୁହା ଆଦି କାର୍ଯ୍ୟରେ ନାରୀ ତାର ଶ୍ରମ ଦିଏ; କିନ୍ତୁ ପୁରୁଷ ମଜୁରିଆ ସହିତ ତାର ମଜୁରୀ ଅଂଶ କେତେ ତାହା ପ୍ରଣିଧାନର ବିଷୟ ଅଟେ ।

 

ସେହିପରି କଳଘରମାନଙ୍କ କଥା ମଧ୍ୟ ଦେଶବାସୀ ଜାଣନ୍ତି । ସେଠି ତ ନାରୀ ନାରୀତ୍ୱ ନେଇ ଯା ଆସ କରନ୍ତି ନାହିଁ, ସଫା କଳହୋଇ ଯାଆନ୍ତି । ଯେ କଦର୍ଯ୍ୟ ଭାବରେ ସେମାନେ ଖଣିମାନଙ୍କରେ ଓ କଳଘରେ କାମ କରନ୍ତି, ରକ୍ତ ପାଣି କରନ୍ତି, ଦୁଗ୍‌ଧପୋଷ୍ୟ ସନ୍ତାନଙ୍କୁ ନ ଖୋଇ, ପାଳିବାକୁ ସମୟ ନ ପାଇ, ବିକଳାଙ୍ଗ କରି ଦିଅନ୍ତି ଓ କ୍ଷେତ୍ର ବିଶେଷରେ ଅବହେଳା ପାଇ ଶିଶୁର ମୃତ୍ୟୁ ହୁଏ, କିପରି ଭାବରେ ନିଜେ ରୋଗ-ତାପକୁ ଓ ନିଜର ସମ୍ଭ୍ରମକୁ ଆଖି ବୁଜି ଖଟନ୍ତି, ସେହି ଖଟିବା ସମୟ ସହିତ ପୁରୁଷ ଅନୁପାତରେ ତାଙ୍କ ମଜୁରୀର ତାରତମ୍ୟ କଥା ଭାବିଲେ ତ ହୃଦୟବାନ୍‌ ବ୍ୟକ୍ତିଙ୍କର ରକ୍ତ ଫୁଟିବାର କଥା-! ଚାକିରୀ ଇତ୍ୟାଦି କ୍ଷେତ୍ରରେ ମଧ୍ୟ ସେହି କଥା । ଠିକ୍‌ ସେହି ଏକା ଯୋଗ୍ୟତା ଥିବା ନାରୀ-କର୍ମଚାରୀଙ୍କର ଦରମା ପୁରୁଷ କର୍ମଚାରୀଠାରୁ ଢେର ନ୍ୟୂନ–

୩.

ନାରୀକୁ ତାର ବ୍ୟକ୍ତିତ୍ୱ ଏବଂ ଆର୍ଥିକ ସ୍ୱାଧୀନତା ଆଣିବାକୁ ହେଲେ ତାର ସ୍ୱାଭାବିକ ଦ୍ୱୈତ ପ୍ରକୃତ ମୂଳରେ ତାକୁ କୁଠାର ଆଘାତ କରିବାକୁ ହେବ । ସେ ଯଦି ଗୁଡ଼ିଏ ଅନାବଶ୍ୟକ ଓ ଅଧିକ ସଂଖ୍ୟକ ଶିଶୁର ମାତା ହୁଏ, ତେବେ ତାର ଜୀବନରେ ସେ କଦାପି ଶାନ୍ତି ଓ ସୁଖର ମୁଖ ଦେଖିବ ନାହିଁ; ପୁଣି ଆର୍ଥିକ ସ୍ୱାଧୀନତା ସେ ପାଇ ପାରିବ ନାହିଁ । ସ୍ଥଳ-ବିଶେଷରେ ଏହାର ବ୍ୟତିକ୍ରମ ଘଟିପାରେ; କିନ୍ତୁ ଏ ତ ସାଧାରଣ କଥା, ସେ ଦ୍ୱୈତପ୍ରକୃତି-ବିଶିଷ୍ଟ ବୋଲି ତାର ଆର୍ଥିକ ସ୍ୱାଧୀନତା ପଥରେ ଚିରକାଳ କଣ୍ଟା ପୋତା ହୋଇଥାଏ । ଏହି ପ୍ରକୃତିକୁ ସେ ପରାଭବ କଲେ ତାର ଅର୍ଥନୈତିକ ମୁକ୍ତି କେବଳ ସମ୍ଭବପର । ଜନ୍ମନିରୋଧ କରି ହେଉ କିମ୍ବା ସ୍ୱାଭାବିକ ବ୍ରହ୍ମଚର୍ଯ୍ୟବ୍ରତ ପାଳନ କରି ହେଉ– ଯେପରି ହେଉ ସେ ଯଦି ସମାଜରେ ତାର ସ୍ୱାତନ୍ତ୍ର୍ୟରେ ମୁଣ୍ଡ ଟେକିବ, ତେବେ ତାକୁ ଏହି ଦାୟିତ୍ୱମୟ ଜୀବନର ଦୁଃଖ ବହନ କରି, ସେହି ବୋଝଧରି ପଥ ବାହିବାକୁ ହେବ । ଏହା ବୋଲି ଯେ, ତାର ଆର୍ଥିକ ସଙ୍ଗତିରେ ସମ୍ଭବପର ହେଲେ ସେ ମାତୃତ୍ୱ ସ୍ୱୀକାର ନ କରିବ– ଏହା ନୁହେଁ, କିନ୍ତୁ ଯେଉଁଠାରେ ସେପରି ସମ୍ବଳ ନାହିଁ, ସେଠାରେ ସେ ମାତୃତ୍ୱ ସ୍ୱୀକାର କରି ବିଧାତୃଦତ୍ତ ଶ୍ରେଷ୍ଠ ଆନନ୍ଦ ଲାଭ କଲେ ସୁଦ୍ଧା ଆର୍ଥିକ ପରାଧୀନତାର ନାଗପାଶରେ ତାର କଣ୍ଠରୁଦ୍ଧ ହୋଇଯିବା ସୁନିଶ୍ଚିତ । ସେଥିଯୋଗୁଁ ଆର୍ଥିକ ସ୍ୱାଧୀନତା ପାଇଁ ଦାୟିତ୍ୱପୂର୍ଣ୍ଣ ମାତୃତ୍ୱର ଉପଲବ୍‌ଧି ଆବଶ୍ୟକ ।

୪.

ଆର୍ଥିକ-ସ୍ୱାଧୀନତା ସଙ୍ଗରେ ତା’ର ସ୍ୱାମୀକୁ ସ୍ୱେଚ୍ଛାନୁଯାଇ ଛାଡ଼ପତ୍ର ଦେବା ସହିତରେ କିଛି ବିଶେଷ ସମ୍ବନ୍ଧ ଯେ ଅଛି ତା ଦୂରକୁ ଆମ୍ଭମାନଙ୍କୁ ଦିଶେ ନାହିଁ । ଦେଖିବାକୁ ମିଳେ, ଯେଉଁ ମାନେ ଦୈହିକ ପରିଶ୍ରମ ଉପରେ ସେମାନଙ୍କ ଜୀବିକା ନିର୍ବାହ କରିଥାଆନ୍ତି, ସେମାନଙ୍କ ଘରେ ନାରୀମାନେ ସ୍ଥଳବିଶେଷରେ ପୁରୁଷଙ୍କଠାରୁ ଅଧିକ କମାନ୍ତି । ଧୋବା ଘର, ଗୁଡ଼ିଆ ଘର, ତନ୍ତୀ ଘର, ବାଉରୀ , ହାଡ଼ୀ ଘର, କେଉଟ ଘର ଆଡ଼କୁ ଦୃଷ୍ଟି ଦେଲେ ଓ ଗଡ଼ଜାତୀ ଅସଭ୍ୟ ଜାତିଙ୍କ ସମାଜକୁ ଦେଖିଲେ ଏହାର ସାରବତ୍ତା ଜଣାପଡ଼େ । କିନ୍ତୁ ସେହି ଅର୍ଜିତ ଅର୍ଥର ସଦ୍‌ବ୍ୟୟ ନାରୀ କରିପାରେ ନାହିଁ, ପୁଣି ଅଜ୍ଞତା ଦୋଷ ମଧ୍ୟ ଅଛି । ସବୁଠାରୁ ବଡ଼ କଥା, ପୁରୁଷ ସେହି ଅର୍ଜିତ ପଇସା ଜୋର କରି ଛଡ଼ାଇ ନିଶା ପିଇଦିଏ, ନିଜ ପିଲାଏ ବି ଖାଇବାକୁ ପାଆନ୍ତି ନାହିଁ; ଯେ ଅର୍ଜିଛି ସେ ମଧ୍ୟ ଭୋକରେ ପଡ଼େ । ଶେଷରେ ରାଗ ଚଢ଼ିଲେ ସେମାନେ ଛେଚା ବି ଖାନ୍ତି; କିନ୍ତୁ ନିଜ କମେଇବା ପଇସା ସ୍ୱାମୀଠାରୁ ଦାବୀ କରିବା କି ନେବାର ଶକ୍ତି ସେମାନଙ୍କଠାରେ ନ ଥାଏ ।

 

ଏପରି ଅବସ୍ଥାରେ ଏହି ଶ୍ରେଣୀମାନଙ୍କର ନାରୀଙ୍କୁ ଦୁର୍ଦ୍ଦଶାରୁ ବଞ୍ଚାଇବାକୁ ହେଲେ ଛାଡ଼ପତ୍ର ଅତୀବ ଆବଶ୍ୟକ । ତା ନ ହେଲେ ଏହି ସାମାଜିକ ମିଥ୍ୟା-ବନ୍ଧନ ହେତୁ ସେ ସ୍ଥଳବିଶେଷରେ ଆର୍ଥିକ ସ୍ୱାଧୀନତା ନିଜର ଦୈହିକ ପରିଶ୍ରମରେ ଅର୍ଜନ କରି ମଧ୍ୟ ନିତ୍ୟ-ପରାଧୀନ ଓ ଅଭାବଗ୍ରସ୍ତ ରହିଥିବ ।

 

ପୁଣି ଉଚ୍ଚ ବର୍ଣ୍ଣରେ ମଧ୍ୟ ଏହାର ଆବଶ୍ୟକତା ଅଛି । ଯେଉଁ ସ୍ୱାମୀ ତାର ବିବାହିତା ନାରୀକୁ ଦୋଷରେ ବା ବିନା ଦୋଷରେ ତ୍ୟାଗ କରିଛି ବା ଅନ୍ୟତ୍ର ସ୍ତ୍ରୀ ବର୍ତ୍ତମାନରେ ବିବାହ କରିଛି, ସେପରି କ୍ଷେତ୍ରରେ ଛାଡ଼ପତ୍ର ଏପରି ଉଦାର ଭାବରେ ପ୍ରଚଳିତ ହେବା ଦର୍କାର ଯେପରି ସେହି ପରିତ୍ୟକ୍ତା ପତ୍ନୀ ଏକୁଟିଆ ବା କ୍ଷେତ୍ର-ବିଶେଷରେ ନିଜର ଶିଶୁସନ୍ତାନ ସହିତ ନିଜର ଜୀବନସଂଗ୍ରାମ ପାଇଁ ଆର୍ଥିକ-ସ୍ୱାଧୀନ ଜଗତରେ ନିଜର ବଳ କଷି ନେବାକୁ ସେ ସୁବିଧା ପାଇପାରେ । ସବୁଠି ତ ଖୋରାକ ପୋଷାକ ମକଦ୍ଦମା ସଫଳ ହୁଏ ନାହିଁ । ବିଶେଷତଃ ହିନ୍ଦୁ ଆଇନର ପେଁଚ ନାରୀ-ଜୀବନର ସ୍ଫୁର୍ତ୍ତି ମୁହଁକୁ ଚିପି ଦେଇଥିବା ସ୍ଥଳେ ଆର୍ଥିକ ସ୍ୱାଧୀନତା କେବଳ ଏହି ଛାଡ଼ପତ୍ର ଦ୍ୱାରା ହିଁ ଅର୍ଜନ କରିବାକୁ ସେ ସମର୍ଥ ହୋଇପାରେ । ତା ନ ହେଲେ ସମାଜରେ ତାର ଓ ତାର ଶିଶୁର ଦାସ୍ୟବୃତ୍ତି ଛଡ଼ା, ଶହେ ଶାଗୁଣାଙ୍କର ଶବ ରୂପେ ପଡ଼ି ରହିବା ଛଡ଼ା ଗତି ନାହିଁ କି ମୁକ୍ତି ନାହିଁ । ଏଥିପାଇଁ ଏ ଦିଗଟା ଫିଟାଇ ନାରୀକୁ ସଂସାର-କ୍ଷେତ୍ରରେ ଆହୁରି ଦାୟିତ୍ୱମୟ ଓ ଗୌରବମୟ ଜୀବନର ତୋରଣପଥ ମୁକ୍ତ କରି ନ ଦେଲେ ସେ ବଞ୍ଚିବ କିପରି ? ଆର୍ଥିକ-ସ୍ୱାଧୀନତା ବା ତା ପ୍ରତି ସମ୍ଭବପର ହେବ କିପରି ?

୫.

ରାଜ୍ୟ ପରିଚାଳନାରେ ପୁରୁଷ ଓ ନାରୀ ଉଭୟଙ୍କର ଅଧିକାର ରହିବା ଯେ କେତେ ଆବଶ୍ୟକ, ତା ଏଠାରେ ବିସ୍ତୃତ ଭାବରେ କହିବା ଆନାବଶ୍ୟକ । ଆର୍ଥିକ ଦୃଷ୍ଟିରୁ ଦେଖିଲେ ନାରୀମାନେ ନିଜର ଭୋଟ କ୍ଷମତା ବଳରେ ଉପଯୁକ୍ତ ପ୍ରତିନିଧି ନିର୍ବାଚନ କରି ରାଜ୍ୟ ପରିଚାଳନାର ଗୁରୁଦାୟିତ୍ୱ ପ୍ରତିନିଧିଙ୍କ ଉପରେ ନ୍ୟସ୍ତ କରିବା ନିତାନ୍ତ ବାଞ୍ଛନୀୟ । ଏହି ଭୋଟ କ୍ଷମତାରେ କୌଣସି ପ୍ରକାର ଭେଦଭାବ ରହିବା ଅନୁଚିତ ।

 

ଆହୁରି ସଂକ୍ଷେପରେ କହିବାକୁ ଗଲେ ବିଶେଷ କରି ଦୁଇଟି କଥା ମୋ ମନକୁ ଆନ୍ଦୋଳିତ କରେ । ଆର୍ଥିକ ପରାଧୀନତାର ମୂଳ ଯେଉଁଦିନ ଉଠିଯିବ, ସେଦିନ ଦୁଇଟି ବଡ଼ ଜିନିଷରେ ଜାତ ଲାଭବାନ୍‌ ହୋଇପାରିବ ।

 

୧.

ଦେଶରୁ ବଂଶଗତ ବେଶ୍ୟାର ଲୋପ ।

୨.

ନିଜ ଦେହ ଉପରେ ଜନ୍ନଗତ ସ୍ୱାଧୀନ ଅଧିକାର ।

 

ଏହି ଦିଓଟି କିଛି ସାମାନ୍ୟ କଥା ନୁହେଁ । ଦେଖନ୍ତୁ, ରୁଷିୟା ସରକାରୀ ଆଇନ୍‌ ଦ୍ୱାରା ଏହି ବଂଶପରମ୍ପରା ବେଶ୍ୟା ବ୍ୟବସାୟ ବନ୍ଦ କରାଇ ଦେଇଅଛି; ତାର କାରଣ ଅର୍ଥାଗମ ଓ ଭରଣପୋଷଣ ପାଇଁ ବିଶାଳ କର୍ମପନ୍ଥା ଓ କ୍ଷେତ୍ର ସେଠା ସରକାର ସୃଷ୍ଟି କରି ଦେଇଛି । ନାରୀ ଯେଉଁଠି ତାର ସ୍ୱାଭାବିକ ଜୈବିକ ଅଭାବର ତୀବ୍ରତା ଅନୁଭବ କରେ, ଅନେକ କ୍ଷେତ୍ରରେ ଯେ ନିଜର ବ୍ୟକ୍ତିତ୍ୱ ବା ନାରୀତ୍ୱର ମର୍ଯ୍ୟାଦାକୁ ବିପଣୀରେ ଅନ୍ଧ ହୋଇ ଫିଙ୍ଗି ଦେଇଥାଏ । ସେଇଟା କିନ୍ତୁ ତାର ସହଜାତ ବୃତ୍ତିର ଏକ ବିରୋଧ ବୃତ୍ତି ।

 

ସୁତରାଂ ଏହି ବେଶ୍ୟାଜତିର ଅବସ୍ଥାନ ଦେଶର ଗୋଟିଏ ମହାଅଧୋଗତିର ମୂଳ । ତାହାର ପଥ ସେହିଦିନ ବନ୍ଦ ହେବ, ଯେଉଁଦିନ ନାରୀ ଅର୍ଥର ଅଧିକାରିଣୀ ହୋଇ ପାରିବ ।

 

ଦେହରେ ତାର ଅଧିକାର ନାହିଁ । ଯଦି ଚ ଆଦିମ ଯୁଗର ମନୁଷ୍ୟ ଶିକ୍ଷା, ସଭ୍ୟତା ଓ ପାରିପାର୍ଶ୍ୱିକ ସ୍ରୋତରେ ଆଜିକାର ଏହି ବୈଜ୍ଞାନିକ ବିଂଶ ଶତାବ୍ଦୀର ଯୁଗର ବକ୍ଷକୁ ଟାଣି ହୋଇ ଆସିଅଛି, ତଥାପି ସେ ଯେ ପୂର୍ଣ୍ଣ ସଭ୍ୟ ହୋଇ ଗଲାଣି ଓ ବର୍ବରତାର ସମସ୍ତ ପ୍ରବୃତ୍ତି ତାଠାରୁ ଲୋପ ହୋଇ ଗଲାଣି, ତାହା ନୁହେଁ । ସଂସାରରେ ସବୁ ଦେଶରେ ଏହାର ଭୂରି ଭୂରି ପ୍ରମାଣ ଯୁଦ୍ଧର ଅବ୍ୟବହିତ ପୂର୍ବ କାଳ ପର୍ଯ୍ୟନ୍ତ ରହିଥିଲା । ଏବେ ମଧ୍ୟ ତାର କିଛି କିଛି ଉଦାହରଣ ଆଇନ-ଚକ୍ଷୁରେ ଧୂଳି ଦେଇ ସେହିସବୁ ସମାଜରେ ଛପି ରହିଛି । ଭାରତବର୍ଷରେ ମଧ୍ୟ ଆଜିଯାଏ ସେହି ଯୁଦ୍ଧ-ପୂର୍ବ କାଳର ଜୋର ଚାଲୁଛି । ଜଗତରୁ ଯଦିଚ କ୍ରୀତଦାସ ପ୍ରଥା, ବେଠି ବେଗାରୀ, ସାମନ୍ତ ପ୍ରଭାବ ଉଠିଯାଇଛି ଓ କ୍ରମେ ଯାଉଛି ବୋଲି ଦେଖୁଥାଇଁ, ତଥାପି ପ୍ରବଳ ଦୁର୍ବଳ ଧର୍ଷଣ ଥିବା ତକ ଏହାର ଜେର ଚାଲୁଛି, ଚାଲୁଥିବ, ସନ୍ଦେହ ନାହିଁ । ଭାରତରେ ଆଇନ୍‌ ଆଖିରେ ଧୂଳି ନ ଦେଇ ମଧ୍ୟ କ୍ରୀତଦାସ ବା (କୁଲି ଚଲାଣ) ବେଠି-ବେଗାରୀ, ସାମନ୍ତ ପ୍ରଭାବ ଇତ୍ୟାଦି କେତେ ପ୍ରଥା ସେହିପରି ଜଣା ଅଜଣାରେ ଚାଲୁଅଛି । ମନୁଷ୍ୟର ଏହି ଆଦି ମତ, ସେଇଠି ହିମାଳୟର ଉଚ୍ଚତାକୁ ଲଜ୍ଜା ଦେଇଛି, ଯେଉଁଠି ସେ ନାରୀ ଜାତିର ମନ ତ ମନ, ଦେହକୁ ମଧ୍ୟ ନିଜର ସ୍ୱାର୍ଥପରତାର କବଜା ଭିତରେ କୋଲପ ଦେଇ ବନ୍ଦୀ କରିଛି । ଜଳ ଯେଉଁଠି ଆବିଳ ହୋଇଥାଏ, ସେହି ଜଳକୁ ଆହୁରି ମନ୍ଥନ କଲେ ଯେ ପୂତିଗନ୍ଧମୟ ପଙ୍କବଦ୍ଧ ଜଳ ଉଠେ ସେହି ଜଳର ଆବର୍ତ୍ତନକୁ ଭାଷାରେ ବର୍ଣ୍ଣନା କରି ଫୁଟାଇ ଦେବାକୁ ମୁଁ କୁଣ୍ଠାବୋଧ କରୁଅଛି । ତେବେ ଏତିକି କହେ ଯେ, ଆର୍ଥିକ ସ୍ୱାଧୀନତାର ଅପର ଅର୍ଥ ତାର ନିଜ ଦେହ ଉପରେ ପୂରା ସ୍ୱାତନ୍ତ୍ର୍ୟ ଲାଭ । ଏହି ସମସ୍ୟା ବିପକ୍ଷରେ ଯେତେ ଗୁଡ଼ିଏ ଯୁକ୍ତି କରା ଯାଇପାରେ, ତାହା ଅତୀତର କ୍ରୀତଦାସ ବ୍ୟବସାୟୀ ଏବଂ ବର୍ତ୍ତମାନର କୁଲି (Contractor) ସର୍ଦ୍ଦାର ବା କୁଲି ଦଲାଲଙ୍କର ଯୁକ୍ତି ସାଙ୍ଗରେ ପୂରା ସମାନ ହେବ । ଗୋଟାଏ ଜାତି ତାର ନିଜର ଦେହ ଉପରେ ଅଧିକାର ପାଇବା ପାଇଁ ସାରା ଜୀବନରେ ଯେଉଁ ଅନ୍ତର୍ବିଦ୍ରୋହ କରି ଉଠେ, ଏ କଥା ସମସ୍ତେ ହୁଏ ତ ବୁଝିବେ କି ନା ସନ୍ଦେହ; କିନ୍ତୁ ଶିକ୍ଷିତ, ମାର୍ଜିତ ବ୍ୟକ୍ତିମାନେ ଏହାର ଗୁରୁତ୍ୱ ଅନୁମାନ କରିବେ ବୋଲି ମୁଁ ବିଶ୍ୱାସ କରେ । ଏହି ସ୍ୱଦେହ ଉପରେ ଯେ ଦାବୀ, ସେ ତ ତାର ଜୀବନର ଗୋଟାଏ ମସ୍ତବଡ଼ ଅଧିକାରର ଦାବୀ । ତାର ଦେହର ଦାବୀ ଓ ଅଧିକାର ତା ପକ୍ଷରେ ଗୋଟାଏ ସାମ୍ରାଜ୍ୟର ଦାବୀ ଓ ଅଧିକାର । ଏହି ଅଧିକାର କିନ୍ତୁ ସେ କେବଳ ସେତିକିବେଳେ ପାଇପାରେ, ଯେତେବେଳେ ସେ ପ୍ରକୃତରେ ଅନ୍ନପୂର୍ଣ୍ଣା ଶ୍ରୀ ଲକ୍ଷ୍ମୀ ଦେବୀଙ୍କ ପରି ଧନର ଅନ୍ନର ସ୍ୱର୍ଣ୍ଣବେଦୀ ଉପରେ ଅଭିଷେକ ହେବାର ସୁଯୋଗ ପାଇ ପାରିବ । ନାରୀ ତ ଲକ୍ଷ୍ମୀର ପ୍ରତୀକ ବୋଲି ହିନ୍ଦୁର ଶାସ୍ତ୍ର କହେ, ନାରୀକୁ ତ ସରସ୍ୱତୀଙ୍କର ପ୍ରତୀକ ତୁଲ୍ୟ ହିନ୍ଦୁ ମନେ କରେ; କିନ୍ତୁ ସତରେ କଣ ସେ ତାହା ? ଅର୍ଥର ଅଧିକାରିଣୀ ବିଦ୍ୟାର ଅଧିକାରିଣୀ ସେ କଣ ସତେ ? ନା, ତାର ବିପରୀତ-ଅଲକ୍ଷ୍ମୀ, ଅଲକ୍ଷଣୀ ଓ ନିର୍ବୋଧ ଅବଳା ମାତ୍ର-ଯାହାର ଅବୋଧ ଅରଣ୍ୟ-ରୋଦନ କେବଳ ସାଥୀ ହୋଇ ଆସିଛି ସେହି ବନ ନିର୍ବାସିନୀ ରାକ୍ଷସହୃତା ନାରୀ ଗୌରବ ସତୀ ସୀତାଙ୍କ ଯୁଗରୁ ।

 

ସେଥିପାଇଁ ଏ ଦିଓଟି ଲାଭ– (୧) ଆତ୍ମସମ୍ମାନସୂଚକ ଦୈହିକ ଅଧିକାର; (୨) ଜାତୀୟ ଜୀବନର ପବିତ୍ରତା ଓ ନୈତିକ ଉନ୍ନତ ।

 

ଆର୍ଥିକ ସ୍ୱାଧୀନତା ବିରୁଦ୍ଧରେ ଯେଉଁମାନେ ମତ ବ୍ୟକ୍ତ କରୁଅଛନ୍ତି; ସେମାନଙ୍କର ଯୁକ୍ତିରେ ଯେ କେତେ ଅସାରତା ରହିଛି, ତାହା ଯେ କୌଣସି ଚିନ୍ତାଶୀଳ ବ୍ୟକ୍ତି ବୁଝିପାରିବେ । ସାଧାରଣ ଭାବରେ ବିରୁଦ୍ଧବାଦୀମାନେ ଏହିପରି ଯୁକ୍ତି ଦେଖାଇଥାନ୍ତି ।

 

୧.

ସାଧାରଣତଃ ନାରୀମାନେ ଶାରୀରିକ ଶକ୍ତିରେ, ମାନସିକ ଶକ୍ତିରେ ପୁରୁଷମାନଙ୍କଠାରୁ ନ୍ୟୂନ । ସଂସାରର କର୍ମକ୍ଷେତ୍ରରେ ଯେତେ ବାଧାବିଘ୍ନ ସହ୍ୟ କରି କାର୍ଯ୍ୟ ନିର୍ବାହ କରିବାକୁ ହୁଏ ସେଥିପାଇଁ ନାରୀମାନଙ୍କର ଶକ୍ତି ଯଥେଷ୍ଟ ନାହିଁ ବୋଲି ସେମାନଙ୍କର ବିଶ୍ୱାସ । ଯଦି ନାରୀମାନଙ୍କୁ ଅର୍ଥ ସମ୍ବନ୍ଧରେ ସ୍ୱାଧୀନତା ଦିଆଯାଏ, ତେବେ ସେମାନେ ତାର ସଦ୍‌ବ୍ୟବହାର କରି ପାରିବେ ନାହିଁ ଏବଂ ଫଳରେ ସମାଜରେ ଘୋର ବିଶୃଙ୍ଖଳା ଜାତ ହେବ ।

 

ଏହାର ଉତ୍ତରରେ ମୁଁ ଏହା କହିବାକୁ ଚାହେଁ ଯେ, ନାରୀମାନଙ୍କୁ ସେମାନଙ୍କର ଶକ୍ତି ଦେଖାଇବା ପାଇଁ ଆଜିପର୍ଯ୍ୟନ୍ତ ଉପଯୁକ୍ତ ସୁବିଧା ଦିଆଯାଇ ନାହିଁ । ଯେଉଁ ଯେଉଁ ସ୍ଥାନରେ ସୁବିଧା ଦିଆ ଯାଇଅଛି, ସେହି ସେହି ସ୍ଥାନରେ ନାରୀମାନେ ଖୁବ୍‌ ଅଗ୍ରସର ହୋଇ ପାରିଛନ୍ତି । ଏପରିକି ନୋବେଲ୍‌ ପ୍ରାଇଜ ପାଇଁ ପ୍ରାର୍ଥୀ ହୋଇ ସୁଦ୍ଧା କେତେକ ଜଣ ମହିଳା ଯଶସ୍ୱିନୀ ହୋଇ ପାରିଛନ୍ତି । ଇଂଲଣ୍ଡ ଆମେରିକା ଫ୍ରାନ୍ସ ପ୍ରଭୃତି ସ୍ଥାନରେ ନାରୀମାନେ ଦେଶର ବ୍ୟବସ୍ଥାପକ ସଭା ଓ ଅନ୍ୟାନ୍ୟ ସାଧାରଣ ସଭାମାନଙ୍କରେ ଖୁବ୍‌ କୃତିତ୍ୱ ସହକାରେ କାର୍ଯ୍ୟ କରିଛନ୍ତି । ଆହୁରି ମଧ୍ୟ ଦେଖାଯାଉଛି, ସାଧାରଣ ପାଶ୍ଚାତ୍ୟଦେଶ ମହିଳାମାନେ ଓ ପ୍ରାଚ୍ୟର ଜାପାନ ମହିଳାମାନେ ହୋଟେଲ, ସ୍କୁଲ, କଲେଜ, ବ୍ୟାଙ୍କ, ଦୋକାନ, ଡାକଘର, କଚେରୀ ଓ ଅନ୍ୟାନ୍ୟ ଅନୁଷ୍ଠାନଗୁଡ଼ିକ ସୁଚାରୁ ରୁପେ ଚଳାଇ ପାରୁଛନ୍ତି । ଯଦି ଉପଯୁକ୍ତ ସୁବିଧା ମିଳେ, ତେବେ ଭାରତୀୟ ନାରୀ ଯେ, କାହିଁକି ଏହି ସବୁ ଅର୍ଥନୀତି ସଂକ୍ରାନ୍ତ କର୍ମକ୍ଷେତ୍ର ନିର୍ବାହ କରିବାକୁ ଅସମର୍ଥ ହେବ ତାହା ବୁଝା ପଡ଼ୁନାହିଁ ।

୨.

ବିରୁଦ୍ଧବାଦୀଙ୍କର ଆଉ ଏକ ଯୁକ୍ତି ହୋଇପାରେ ଯେ, ନାରୀମାନଙ୍କର ଆର୍ଥିକ ସ୍ୱାଧୀନତା ଯଦି ସ୍ୱୀକାର କରାଯାଏ, ତେବେ ସାମାଜିକ ଜୀବନରେ ବିଶୃଙ୍ଖଳତା ଘଟିବ । ଏହାରି ସପକ୍ଷରେ ସେମାନେ ପାଶ୍ଚାତ୍ୟ ସମାଜ ଉଦାହରଣ ଦେଖାନ୍ତି । ସେମାନଙ୍କ ମତରେ ନାରୀମାନଙ୍କର ଏହି ଆର୍ଥିକ ସ୍ୱାଧୀନତା ହିଁ ପାଶ୍ଚାତ୍ୟ ସାମାଜିକ ଅଶାନ୍ତିର ମୂଳ କାରଣ; କିନ୍ତୁ ମୋ ମତରେ ଏହି ଆଶଙ୍କା ଭ୍ରାନ୍ତିମୂଳକ । ଏହି ଆର୍ଥିକ ସ୍ୱାଧୀନତା ଛଡ଼ା ଅନ୍ୟ କୌଣସି ବିଶେଷ କାରଣ ଏହି ଅଶାନ୍ତି ମୂଳରେ ରହିଛି । ଯଦି ଆମ୍ଭେମାନେ ପାଶ୍ଚାତ୍ୟ ସମାଜର କୌଣସି ତ୍ରୁଟି ଦେଖିଥାଉଁ, ତେବେ ତାହାର ସଂସ୍କାର କରିବାକୁ ନ ଯାଇ ଗୋଟିଏ ମୌଳିକ ଅଧିକାରକୁ ଅସ୍ୱୀକାର କରିବା ବଡ଼ ପରିତାପର ବିଷୟ ହେବ ।

 

ନାରୀମାନେ ଧନ ଦୌଲତ ସମ୍ବନ୍ଧରେ ଅଧିକାର ପାଇଲେ ଯେ ସମାଜଟା ଚୂର୍ଣ୍ଣ ବିଚୂର୍ଣ୍ଣ ହୋଇଯିବ, ଏହାର କୌଣସି କାରଣ ନାହିଁ । ବିଶେଷତଃ ଯେତେଦିନ ପର୍ଯ୍ୟନ୍ତ ସ୍ତ୍ରୀ ଓ ପୁରୁଷ ଦୁହିଙ୍କର ଅର୍ଥନୈତିକ ଅଧିକାରର ସାମଞ୍ଜସ୍ୟ ସମାଜ ବକ୍ଷରେ ଫୁଟି ନ ଉଠିବ, ତେତେଦିନ ପର୍ଯ୍ୟନ୍ତ ପୁରୁଷ-ଶାସିତ ସମାଜର ଅଭିଧାନରେ ଶାନ୍ତି, ଶୃଙ୍ଖଳା, ଆଭିଜାତ୍ୟ ଇତ୍ୟାଦି ସୁମଧୁର ବିଶେଷଣଗୁଡ଼ିକ ରହିଥିଲେ ମଧ୍ୟ, ତାହା ଦୈନନ୍ଦିନ ଜୀବନରେ ଅଭିନିତ ହେଉଥିଲେ ମଧ୍ୟ, ତାହା ଯେ ପ୍ରକୃତରେ ସେହି ସବୁ ଗତବନ୍ଧା ଶବ୍ଦବାହୁଲ୍ୟର ଛଟା ଓ ଅନ୍ତଃସାରବିହୀନ, ଏ କଥା ସାଧାରଣ ଚାଲାଖ ଲୋକ ସହଜରେ ବୁଝି ନେବ । କାରଣ ହସ୍ତପଦହୀନ ସୁଭଦ୍ରା ଦେବୀ କରି ଓ ମନ୍ଦିରରେ ତାର ପୂଜା ଆରତି କରି ପୁରୁଷ ସମାଜ ତାର ଶାନ୍ତି ପାଇଁ ଯେ ବ୍ୟବସ୍ଥା କରିଆସିଛି, ତହିଁରେ ଉପରକୁ ଛାୟା ଶାନ୍ତିର ପ୍ରକଟିତ ହେଲେ ମଧ୍ୟ, ପ୍ରକୃତରେ ଯବନିକା ଉଠାଇଲେ ଦିଶିବ ଯେ, ସେ ଶାନ୍ତି ମୃତ୍ୟୁର ପ୍ରତୀକ ମାତ୍ର । ଜଡ଼ତାର ତୁହିନଶୀଳ ପାଷାଣ ଏହି ତଥାକଥିତ ଶାନ୍ତିର ଗହ୍ୱର ମୁଖକୁ ଆବୃତ କରିଅଛି; କିନ୍ତୁ ଗହ୍ୱର ତଳେ ବିଦ୍ରୋହର ଭିସୁଭିୟସ ପର୍ବତର ଧୂମାୟମାନ ଅଗ୍ନିଲୀଳା ! ମାତ୍ର ଧୀମାନ୍‌ ପୁରୁଷ ଯେ ଶାନ୍ତି ଚାହେଁ, ସେ କଣ ଏହିପରି ନିର୍ଜ୍ଜୀବ ଶାନ୍ତି ? ମନୁଷ୍ୟକୁ ଜବତ୍‌ କରି ତାର ସର୍ବ ଅଧିକାର ହରଣ କରି, ତା ଠାରୁ ଯେ ସହାୟତାହୀନ ନିର୍ଭରତା ମିଳେ, ତାହା ଶାନ୍ତି ନା ଜୀବନର ଅଭିଶାପ-ମୃତ୍ୟୁ ? ଜୀବନ୍ତ ଶାନ୍ତି ଓ ଶୃଙ୍ଖଳା ସିନା ସାମଞ୍ଜସ୍ୟରେ ମିଳେ । ସ୍ୱାଧୀନ ନରସମାଜରେ ଯେଉଁଠି ଶାନ୍ତିକୁ ସୃଷ୍ଟି କରିବାକୁ ହୁଏ, ଶାନ୍ତି ଓ ଶୃଙ୍ଖଳା ରଖିବାକୁ ନାରୀ ଓ ନର ଯେଉଁଠି ତ୍ୟାଗ ବା ସ୍ୱେଚ୍ଛାକୃତ କଷ୍ଟ ବରଣ କରି ନିଅନ୍ତି, ସେଇଠି ସିନା ପ୍ରକୃତ ସତ୍ୟର ଶୃଙ୍ଖଳା ଓ ସାମାଜିକ ତଥା ବ୍ୟକ୍ତିଗତ ଶାନ୍ତି ? ସମଧର୍ମ୍ମୀ ନରନାରୀ ନ ହେଲେ, ସମଅଧିକାର-ସମ୍ପନ୍ନ ନ ହେଲେ ଯେ ଶାନ୍ତି, ସେ ତ କେବଳ ଏକ ବିରାଟ ପ୍ରତାରଣା ମାତ୍ର । ରାଜନୈତିକ ପେଞ୍ଚର ଏ ପାଖ ସେ ପାଖ ଛଡ଼ା ଆଉ ତାକୁ କଣ କୁହାଯିବ ? ଇଂରେଜ ଭାରତକୁ ଅଧୀନ କରି ଯଦି କହେ, ‘‘ଭାଇ ଭାରତବାସୀ ! ତୁମେ ନାବାଳକ, ଆମେ ତୁମର ସୁକୁମାର ଜୀବନକୁ ଦାୟିତ୍ୱର ଗୁରୁଭାର ଦେବୁ ନାହିଁ, ତୁମେ ଖାଅ, ପିଅ, ବସ, କିଛି କମାଅ, ତୁମର ଚଳିବା, ତୁମର ଓ ତୁମର ଦାୟାଦଙ୍କର ଉତ୍ତରଦାୟିତ୍ୱ କଥା ଆମେ ଭାବିବୁଁ, ଆମେ ତୁମର ଅମୁକ ଢମୁକ ଉପକାରମାନ କରିବୁ, ତୁମେ ନିଶ୍ଚିନ୍ତ ହୁଅ,’’ ତହିଁରେ ଯଦି ଭାରତୀୟମାନେ ଅକର୍ତ୍ତବ୍ୟ ଯୋଗୁଁ ‘‘ମୌନ ସମ୍ମତି ଲକ୍ଷଣ’’ରେ ପଡ଼ି ରହିଥାନ୍ତି , ସେହି ନିଃସହାୟ ଓ ବିମୂଢ଼ ଭାବରେ ପଡ଼ି ରହିଥିବାମାନେ କଣ ଶାନ୍ତି ନା ଶୃଙ୍ଖଳା ? ତହିଁରେ ଇଂରେଜ ଓ ଭାରତର ଦାତା ଗ୍ରହୀତା ସମ୍ବନ୍ଧ ଓ ବାଣିଜ୍ୟ ସମ୍ବନ୍ଧ ଛଡ଼ା ଆଉ ସୌହାର୍ଦ୍ୟ କେଉଁଠୁ ଆସିବ ? ଯଦି ବ୍ରିଟିଶ ଓ ଭାରତ ଦୁଇ ଜାତି ସମାନ ଅବସ୍ଥାରେ ଥାନ୍ତେ, ତେବେ ଜଗତର ସଭ୍ୟତା, ଶାନ୍ତି, ଶୃଙ୍ଖଳା ଏପରି କେତେ ବିଷୟର ମହା ଉନ୍ନତି ସାଧିତ ହୋଇପାରି ନ ଥାନ୍ତା ? କିନ୍ତୁ ତାହା ନୁହେ ।

 

ଆଉ କେତେକ ଭଦ୍ର ବ୍ୟକ୍ତି ଅଛନ୍ତି, ଯେଉଁମାନେ କହନ୍ତି ଯେ, ଆମର ହିନ୍ଦୁ ସମାଜରେ ଆର୍ଥିକ ଅଧିକାର ରହିଛି; କିନ୍ତୁ ସେ ତାଙ୍କର ଯୁକ୍ତି ସପକ୍ଷରେ କି ଉଦାହରଣ ଦେବେ ମୁଁ ତାହା କହି ପାରୁ ନାହିଁ । ସାଧାରଣ ଭାବରେ ବିଚାର କଲେ ହିନ୍ଦୁ କିଛି ଅଧିକାର ନାହିଁ କହିଲେ ଚଳେ ।

 

୧.

ଦୁହିତା ଭାବରେ ଦେଖିଲେ ଏହାହିଁ ଜଣାପଡ଼େ ଯେ, ପିତାର ଯଦି ପୁତ୍ର ଥାନ୍ତି ତେବେ ପିତାର ସମ୍ପତ୍ତିରେ ତାର କୌଣସି ଅଧିକାର ନାହିଁ । ଯଦି ପିତାର ପୁତ୍ର ନ ଥାନ୍ତି ଏବଂ ପିତା ଯଦି ଏକାନ୍ନବର୍ତ୍ତୀ କୁଟୁମ୍ବଭୁକ୍ତ ନ ହୋଇଥାନ୍ତି, ତା ହେଲେ ସେଠି ପିତାର ସମ୍ପତ୍ତିରେ ଦୁହିତାର ଅଧିକାର ରହିଛି; କିନ୍ତୁ ଏହି ଅଧିକାର ଟିକକ ମଧ୍ୟ ସେ ମାତା ହେବା ପର୍ଯ୍ୟନ୍ତ ରହିଥାଏ । ମାତା ହେବାପରେ ସେ ସମ୍ପତ୍ତିର କେବଳ ରକ୍ଷଣାବେକ୍ଷଣକାରିଣୀ ମାତ୍ର । ଯେଉଁ ଦୁହିତାମାନେ ଅବିବାହିତା ରହନ୍ତି, (କେତେକ ଅସୁବିଧା ହେତୁ) ସେମାନେ ପିତ୍ରାଳୟର ଦୟା ଉପରେ କାଳାତିପାତ କରିବାକୁ ବାଧ୍ୟ । ସେ ଅବିବାହିତା ରହିଲା ବୋଲି ଯେ ନିଜର ଭାଇ ସହିତ ସମାନ ଅଧିକାର ପାଇବ, ଏ କଥା ହିନ୍ଦୁର କଳ୍ପନାର ଅତୀତ । ଏଥିରୁ ସ୍ପଷ୍ଟ ଭାବରେ ଜଣା ପଡ଼ିଛି, ଦୁହିତା ଭାବରେ ସୁଦ୍ଧା କୌଣସି ଅଧିକାର ନାହିଁ ।

୨.

ପତ୍ନୀ ରୂପରେ ଦେଖିବାକୁ ଗଲେ ମଧ୍ୟ ଅର୍ଥନୈତିକ ଜଗତରେ କୌଣସି ସ୍ଥାନ ନାହିଁ । ଯେତେଦିନ ପର୍ଯ୍ୟନ୍ତ ସ୍ୱାମୀ ଜୀବିତ ଅଛନ୍ତି, ସେତେଦିନ ପର୍ଯ୍ୟନ୍ତ ଅର୍ଥନୈତିକ ଜଗତରେ ସେ କେବଳ ଭରଣପୋଷଣ ଦାବୀର ଅଧିକାର କରିପାରେ ମାତ୍ର । କିନ୍ତୁ ଭରଣପୋଷଣ ବା Maintenance rights of the womenକୁ ଅଥନୈତିକ ଅଧିକାର ବୋଲି ଯେପରି କେହି ଭ୍ରମରେ ହେଲେ ନ ବୁଝନ୍ତି; କାରଣ ପଶୁ ନିଷ୍ଠୁରତା ନିବାରିଣୀ ସମିତିର ତତ୍ତ୍ୱାବଧାରକମାନେ, ଯେଉଁଠାରେ ଗାଈ ଘୋଡ଼ାଙ୍କର ମାଲିକମାନେ ପାଳିତ ପଶୁଗୁଡ଼ିଙ୍କୁ ଉତ୍ତମରୂପେ ଖାଇବାକୁ ପିଇବାକୁ ନ ଦିଅନ୍ତି, ସେଠାରେ, ସରକାରୀ ଦୃଷ୍ଟି ଆକର୍ଷଣ କରି ସେମାନଙ୍କୁ ଦଣ୍ଡିତ କରାନ୍ତି । ଯେଉଁମାନେ ଟଙ୍କାକଉଡ଼ି ଦେଇ ଦାସୀ ଦାସଙ୍କୁ କିଣୁଥିଲେ ସେମାନେ ମଧ୍ୟ କ୍ରୀତଦାସମାନଙ୍କର ଭରଣ ପୋଷଣ କରୁଥିଲେ । ବିଧବାର ଯଦି ବା ସ୍ୱାମୀ-ସମ୍ପତ୍ତି ଉପରେ ଅଧିକାର ଅଛି, କିନ୍ତୁ ପୁତ୍ର ବର୍ତ୍ତମାନରେ ନୁହେଁ । ପୁଣି ସେ ଯଦି ନିଃସନ୍ତାନ ହୋଇ ଏକାନ୍ନବର୍ତ୍ତୀ ପରିବାରରେ ଥାଏ, ତେବେ କେବଳ ଭରଣପୋଷଣ ପାଇଁ ପରିବାର ବାଧ୍ୟ । ଯଦି ନାରୀ ନିଃସନ୍ତାନ ହୋଇଥାଏ, ତେବେ ସ୍ୱାମୀର ବିନାନୁମତିରେ ସେ ପୋଷ୍ୟପୁତ୍ର କରି ଆଇନତଃ ତାକୁ ଉତ୍ତରାଧିକାର ଦେବାର କ୍ଷମତା ତାର ନାହିଁ ।

୩.

ମାତୃ ରୂପରେ ଯଦି ପୈତୃକ ସମ୍ପତ୍ତି ରକ୍ଷଣଭାର ତା ଉପରେ ନ୍ୟସ୍ତ ଥାଏ, ତେବେ ତାହା ପୁତ୍ରର ସାବାଳକି ପର୍ଯ୍ୟନ୍ତ ।

 

ଯଦି ଦୈବକ୍ରମେ କୌଣସି ଭୂସମ୍ପତ୍ତି ସେ ପ୍ରାପ୍ତହୁଏ, ତେବେ ଉତ୍ତରାଧିକାରୀ ଥିଲେ ସେ ବିକ୍ରୟ କରିପାରିବ ନାହିଁ । ସୁତରାଂ ମାତୃରୂପରେ ମଧ୍ୟ ଆର୍ଥିକ ଅଧିକାର ନାହିଁ । (ନିଜର ସନ୍ତାନ ଉପରେ ଯେତେବେଳେ ତାର ଆଇନତଃ ଅଧିକାର ନାହିଁ ଓ ସେ ଅଭିଭାବକ ନୁହେଁ, ସେତେବେଳେ ଆର୍ଥିକ ଅଧିକାରର କଥା ତ ଅତି ତୁଚ୍ଛ) ।

୪.

ଯେଉଁଠି ନାରୀ ସ୍ୱାବଲମ୍ବିନୀ, ସେହିଠି କେବଳ ତାର ଅର୍ଜିତ ଧନକୁ ସ୍ତ୍ରୀ ଧନ କୁହାଯିବ, ତାରି ଉପରେ ତା’ର ଅଧିକାର ଅଛି । ବର୍ତ୍ତମାନ ଏ ପ୍ରସଙ୍ଗରେ ସେ ପ୍ରଶ୍ନ ଉଠୁନାହିଁ; କାରଣ ଏହା ତ ସ୍ୱତଃସିଦ୍ଧ । ତାର ଅର୍ଜିତ ସମ୍ପତ୍ତିର ସେ ମାଲିକ, ଏଥିରେ ସାମାଜିକ ବା ରାଜନୈତିକ ବ୍ୟବସ୍ଥା ତା ପାଇଁ ଆଉ କଣ ଅଛି ?

 

ଉପର୍ଯ୍ୟୁକ୍ତ ଆଲୋଚନାରୁ ସ୍ପଷ୍ଯ ଭାବରେ ଜଣା ପଡ଼ୁଛି ଯେ, ନାରୀମାନଙ୍କର ଆର୍ଥିକ ଜଗତରେ କୌଣସି ସ୍ଥାନ ନାହିଁ । ଯଦି କୌଣସି ପ୍ରକାର ଅଧିକାର ଅଛି, ତେବେ ତାହା କିଛି ନୁହେଁ କହିଳେ ଚଳେ । ବର୍ତ୍ତମାନ ଅବସ୍ଥାରେ ଅଧିକାର ଅଛି ବୋଲି ଯୁକ୍ତି କରିବା ଅର୍ଥ ନିଜ ଆଖିରେ ଧୂଳି ମାରିବା ସଙ୍ଗେ ସଙ୍ଗେ ଅନ୍ୟମାନଙ୍କ ଆଖିରେ ମଧ୍ୟ ଧୂଳି ଦେବା ।

 

ଜନୈକ ଉଚ୍ଚଶିକ୍ଷିତା ମହିଳା ହିନ୍ଦୁନାରୀମାନଙ୍କର ବର୍ତ୍ତମାନର ଅବସ୍ଥାକୁ ଲକ୍ଷ୍ୟ କରି ଯାହା କହି ଅଛନ୍ତି ତାହା ଉପସଂହାରରେ ଉଦ୍ଧୃତ ନ କରି ରହି ପାରିଲି ନାହିଁ ।

 

‘‘କୁମାରୀ କନ୍ୟା ପିତୃ ଗୃହରେ ପୁତ୍ରତୁଲ୍ୟ ଭବିଷ୍ୟତର ଆଶା, କେବଳ ବିବାହ ସମସ୍ୟାର ଗୋଟିଏ କେନ୍ଦ୍ର ନୁହେ, ଏହି କଥା ମନେରଖି ଭବିଷ୍ୟତ ବଂଶର ଉନ୍ନତି ସାଧନ ନିମିତ୍ତ ଭବିଷ୍ୟତ ସମାଜର ଗୋଟିଏ ସ୍ୱତନ୍ତ୍ର ବ୍ୟକ୍ତି ଗଠନ କରିବା ପାଇଁ ତାକୁ ଶିକ୍ଷା ଦୀକ୍ଷା ଦେବାକୁ ହେବ । ବିବାହ ବଜାରରେ ସୁଲଭରେ ପାରି କରିବା ପାଇଁ କେବଳ ଉପରେ ପାଲିସ୍‌ କଲେ ଚଳିବ ନାହିଁ । ବିବାହିତା ନାରୀ ଗୃହସ୍ୱାମୀପରି ଗୃହତନ୍ତ୍ରର ଜଣେ ନିୟନ୍ତା, ଘରର ଭଲ ମନ୍ଦ, ନିଜର ସ୍ୱାମୀର ଓ ସନ୍ତାନ ସନ୍ତତିର ଭଲ ମନ୍ଦର ଭାର ଗୃହସ୍ୱାମୀ ପରି ତାର ମଧ୍ୟ ରହିଛି । ଏହି କଥା ସର୍ବଦା ମନେ ରଖିବାକୁ ହେବ । ବିବାହ ହୋଇଯିବା ମାତ୍ରେ ତାର ଜୀବନର ସବୁ ସମସ୍ୟାର ସମାଧାନ ହୋଇଗଲା, କେବଳ ପତିବ୍ରତା ପତ୍ନୀ ହୋଇ ଚଳିପାରିଲେ ତାକୁ ଆତ୍ମା, ମନ ଓ ମସ୍ତିଷ୍କର ଆଉ କୌଣସି ପ୍ରୟୋଜନ ରହେ ନାହିଁ, ଆମ୍ଭମାନଙ୍କର ସମାଜରେ ଏହି ଯେ ଧାରଣା ବଦ୍ଧମୂଳ ହୋଇ ରହିଛି, ନାରୀଜାତିର କଲ୍ୟାଣ ପଥ ଏହାପରି ଅନ୍ଧକାର ଆଉ କିଛି କରେ ନାହିଁ । ସ୍ୱାମୀ ହିଁ ସ୍ତ୍ରୀର ସବୁ ସମସ୍ୟାର ମୀମାଂସା ଏକଥା ଭୁଲିବାକୁ ହେବ । କନ୍ୟା ବିବାହ କରି ନ ପାରେ, କଲେ ମଧ୍ୟ ନିଜ ଦେହ ମନର ଭରଣ ପୋଷଣ ଭାର ନିଜ ହାତରେ ରଖିପାରେ, ନିଜ ଜୀବନର କାର୍ଯ୍ୟକ୍ଷେତ୍ର ନିଜେ ବାଛି ନେଇ ପାରେ, କେବଳ ମାତ୍ର ମାନସିକ ନୁହେଁ, ଆର୍ଥିକ ସ୍ୱାଧୀନତା ମଧ୍ୟ ତାଙ୍କର ରହିବା ପ୍ରୟୋଜନ; ଏହି କଥା ପ୍ରତ୍ୟେକ ନାରୀର, ପ୍ରତ୍ୟେକ କନ୍ୟାର, ଜନନୀର ମନରେ ରହିବା ଉଚିତ । କୌମାର୍ଯ୍ୟରେ ଆର୍ଥିକ ଓ ମାନସିକ ଭାର ପିତା ମାତା ଉପରେ, ବିବାହିତ ଜୀବନରେ ସ୍ୱାମୀ ଉପରେ ସଂପୂର୍ଣ୍ଣ ଭାବରେ ନ୍ୟସ୍ତ ଜାଣିଲେ, ସ୍ୱତନ୍ତ୍ର ବ୍ୟକ୍ତିତ୍ୱ କେବେ ଗଢ଼ି ଉଠି ପାରିବ ନାହିଁ । ତାହାର ସ୍ୱାଧୀନ ମତାମତ ପ୍ରକାଶ କରିବା କ୍ଷମତା ଜନ୍ମେ ନାହିଁ-। କୌଣସି ଦିଗରେ ସେ ଆତ୍ମ-ପ୍ରତିଷ୍ଠ ହୋଇ ପାରେ ନାହିଁ ।

 

ଏହି ହେତୁ ଶିଶୁକାଳରୁ ଆରମ୍ଭ କରି କନ୍ୟାକୁ ଏପରି ଶିକ୍ଷା ଦେବାକୁ ହେବ, ଯେପରି ସେ ମନେକରେ ଯେ, ତାହାର ସମସ୍ତ ଭବିଷ୍ୟତ ତାହାର ନିଜର ହାତରେ । ପିତାର ପ୍ରଚୂର ଅର୍ଥ ଥିଲେ ହେଁ ପୁତ୍ରକୁ ଯେପରି ଅର୍ଥକରୀବିଦ୍ୟା ଶିକ୍ଷା ଦେବାର ପ୍ରୟୋଜନ ରହିଛି, ପ୍ରତ୍ୟେକ କନ୍ୟାକୁ ମଧ୍ୟ ସେପରି ଅର୍ଥକରୀ ବିଦ୍ୟା ଶିକ୍ଷା ଦାନ କରିବା ଅବଶ୍ୟ କର୍ତ୍ତବ୍ୟ । କନ୍ୟାକୁ ପୁତ୍ରପରି ଆଦର କରିବା ଅର୍ଥ ଏହା ନୁହେଁ ଯେ, ପିତାର ସମ୍ପଦ ତାହାକୁ ପୁତ୍ରପରି କେବଳ ଯଥେଚ୍ଛା ବ୍ୟୟ କରିବା ପାଇଁ ଦିଆହେବ । କିଛି ବୟସ ପରେ ପୁତ୍ର ଯେପରି ନିଜର ଆୟ ଓ ବ୍ୟୟ ଦିଓଟି ପାଇଁ ଦାୟୀ ହୁଏ ଓ ଚିନ୍ତିବାକୁ ଶିଖେ, କନ୍ୟାକୁ ମଧ୍ୟ ତାହା ହିଁ କରିବାକୁ ହେବ । କୁମାରୀ କନ୍ୟାକୁ ବିବାହ ଆଶାରେ ଅଳସ କରି ଗୃହ ଭିତରେ ବସାଇ ରଖିବା ତାର ଆତ୍ମାର ଅପମାନ । ଶିଶୁସନ୍ତାନର ଜନନୀ ଛଡ଼ା ଆଉ ସବୁ ନାରୀ ପକ୍ଷରେ ଗୃହ-ସର୍ବସ୍ୱ ହୋଇ ବସି ରହିବା ଯେ ଆପଣାର ବ୍ୟକ୍ତିତ୍ୱକୁ କ୍ଷୁଣ୍ଣ କରିବା ଓ ନାରୀଜାତିର ଅକଲ୍ୟାଣ କରିବା, ଏହା ନାରୀ ମାତ୍ରକେ ଯେଉଁ ଦିନ ବୁଝି ପାରିବେ, ସେହିଦିନ ନାରୀ ଉନ୍ନତିର ପଥ ପ୍ରଶସ୍ତ ହୋଇଯିବ ।

 

ସମାଜର ଆର୍ଥିକ ଓ ମାନସିକ ସମ୍ପଦ ବୃଦ୍ଧିର ଭାର, ସମାଜକୁ ସବୁ ଦିଗରୁ ସମୃଦ୍ଧ କରିବା ଭାର, ପୁରୁଷ ପରି ମଧ୍ୟ ଏହି କଥା ମନେ ରଖି ସ୍ତ୍ରୀ ଶିକ୍ଷାର ପଥ ସର୍ବାଗ୍ରରେ ବାଧାହୀନ କରି ଦେବାକୁ ହେବ ।

 

ଆମ୍ଭମାନଙ୍କ ଦେଶରେ ସ୍ତ୍ରୀ ଶିକ୍ଷା ଅତି ସାମାନ୍ୟ ଅଗ୍ରସର ହୋଇଅଛି । ଯେଉଁ ଟିକକ ହୋଇଅଛି, ତାହା ମଧ୍ୟ ଏକମୁଖୀ । ଶିକ୍ଷିତା ମହିଳାମାନଙ୍କର ଆର୍ଥିକ ଉନ୍ନତିର ବିଶେଷ ଉପାୟ ନାହିଁ । ସ୍କୁଲ କଲେଜରେ ମହିଳାମାନଙ୍କୁ ଯେଉଁ ଶିକ୍ଷା ଦିଆଯାଏ ତାହା ଦ୍ୱାରା ଉପାର୍ଜ୍ଜନ କରିବାକୁ ହେଲେ ସମସ୍ତଙ୍କୁ ବିଦ୍ୟାଳୟର ଶିକ୍ଷୟିତ୍ରୀ କାର୍ଯ୍ୟ କରିବାକୁ ହୁଏ । ଏହି ଶିକ୍ଷା ବାସ୍ତବିକ ମାନସିକ ଉତ୍କର୍ଷ ନିମତ୍ତ ହିଁ ବେଶି ପ୍ରୟୋଜନ । ଏହା ନାରୀମାନେ ସମସ୍ତେ ପାଇବା ଉଚିତ । କିନ୍ତୁ ଏହା ସଙ୍ଗେ ପ୍ରାଥମିକ ଶିକ୍ଷାର ସମୟଠାରୁ ଉଚ୍ଚତର ଶିକ୍ଷା ପର୍ଯ୍ୟନ୍ତ ସମସ୍ତ ପୋଥୀବିଦ୍ୟାର ସଙ୍ଗେ ସଙ୍ଗେ ଅବଶ୍ୟ ଶିକ୍ଷଣୀୟ ଅନ୍ତତଃ ଗୋଟିଏ ହେଲେ ମଧ୍ୟ ଅର୍ଥକରୀ ବିଦ୍ୟା ଶିକ୍ଷା ଦେବା ପ୍ରୟୋଜନ ।

 

ଯେଉଁ ସ୍ତ୍ରୀମାନେ ୨୦।୨୨ ବର୍ଷ ପର୍ଯ୍ୟନ୍ତ ଶିକ୍ଷା ପାଆନ୍ତି, ସେମାନଙ୍କୁ ନାନା ଲୋକ-ହିତକର ବିଦ୍ୟା ଶିକ୍ଷା ଦେବା ଉଚିତ, ଯେପରି ଚିକିତ୍ସା, ଶୁଶ୍ରୁଷା, ଆଇନ୍‌ ଇତ୍ୟାଦି । ଏହିସବୁ କାର୍ଯ୍ୟରେ ଲୋକମାନଙ୍କର ହିତ ହୁଏ ଏବଂ ତାହା ସଙ୍ଗେ ସଙ୍ଗେ ଅର୍ଥ ଉପାର୍ଜ୍ଜନ ମଧ୍ୟ ହୁଏ । ସନ୍ତାନବତୀ ରମଣୀ ଓ ଗୃହିଣୀମାନଙ୍କ ପକ୍ଷରେ ଗୃହର ବାହାରରେ କାର୍ଯ୍ୟକରା କଠିଣ । ଏହି ହେତୁ କୁଟୀର ଶଳ୍ପାଦି ମହିଳାମାନଙ୍କର ଆର୍ଥିକ ଉନ୍ନତି ପକ୍ଷରେ ବେଶୀ ସୁବିଧାଜନକ । ପ୍ରାଥମିକ ଶିକ୍ଷା ସଙ୍ଗେ ସଙ୍ଗେ ଯେଉଁ ସବୁ ନାରୀମାନଙ୍କର ଶିକ୍ଷା ସମାପନ ହୁଏ, ସେମାନଙ୍କ ମଧ୍ୟରୁ ପ୍ରତ୍ୟେକଙ୍କୁ ଗୋଟିଏ ଗୋଟିଏ କୁଟୀର ଶିଳ୍ପ ଶିକ୍ଷା ଦେଲେ ସେମାନେ ସଂସାରର ଆୟ ବୃଦ୍ଧି କରିପାରିବେ ଏବଂ ଆତ୍ମନିର୍ଭରଶୀଳ ହୋଇ ସ୍ୱାଧୀନତାର ଆନନ୍ଦ ପାଇବେ । ତା ଛଡ଼ା ଗୃହରେ ଉପାର୍ଜ୍ଜନକ୍ଷମ ପୁରୁଷମାନଙ୍କର ଅଭାବ ହେଲେ ସେମାନଙ୍କୁ ଭିକ୍ଷା ଝୁଲି ଧରିବାକୁ ହୁଏ ନାହିଁ । ଏହି ଭିକ୍ଷା ଝୁଲି ଯେ ସେମାନଙ୍କର ସାଂସରିକ ଦୈନ୍ୟର ପରିଚୟ ତାହା ନୁହେଁ, ଏଥିରେ ମନୁଷ୍ୟର ଆତ୍ମାର କ୍ଷତି ସର୍ବାପେକ୍ଷା ବେଶୀ । ଯେଉଁ ମୁହୁର୍ତ୍ତରେ ମନୁଷ୍ୟ ଭିକ୍ଷାର ଲଜ୍ଜାକୁ ଭୁଲିଯାଏ, ସେହି ମୁହୂର୍ତ୍ତରେ ତାହାର ଆତ୍ମସମ୍ମାନର ମୂଳରେ କୁଠାରାଘାତ ପଡ଼େ । ଭିକ୍ଷା ଓ ପରମୁଖାପେକ୍ଷିତା ଯେଉଁମାନଙ୍କର ଜୀବନ ଧାରଣାର ଉପାୟ, ସେମାନେ କି କେବେ ସ୍ୱାଧୀନ ଆତ୍ମପ୍ରତିଷ୍ଠ ହୋଇ ପାରିବେ, ନା ନିଜର ଉନ୍ନତିର ଉପାୟ ସମ୍ବନ୍ଧରେ ସ୍ପଷ୍ଟ ମତ ବ୍ୟକ୍ତ କରି ପାରିବେ ?’’

Image